
ନେପାଳ : ନେପାଳରେ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ନେପାଳର ଡୋଲ୍ପା ସ୍ଥିତ ଜୁମ୍ଫାଲ (ଜୁଫାଲ) ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ଏକ ଘରୋଇ ବିମାନର ପଛପଟ ଡାହାଣ ଚକା (ଟାୟାର) ଫାଟି ବାହାରି ଯାଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ୭ ଜଣ ବିଦେଶୀ ନାଗରିକଙ୍କ ସମେତ ସମସ୍ତ ୧୩ ଜଣ ଯାତ୍ରୀ ଏବଂ କ୍ରିଉ ସଦସ୍ୟ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ସକାଳ ପ୍ରାୟ ୮ଟା ୨୫ ମିନିଟ୍ରେ ନେପାଳଗଞ୍ଜ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ସୀତା ଏୟାରର ନାଇନ୍-ଏନ୍-ଏଜେଏଚ୍ ବିମାନଟି ଡୋଲପାର ଜୁଫାଲ ବିମାନବନ୍ଦରରେ ଲ୍ୟାଣ୍ଡିଂ କରୁଥିଲା ।
ରନୱେ ଛୁଇଁବା ମାତ୍ରେ ହିଁ ବିମାନର ପଛପଟ ଟାୟାରଟି ଫାଟିଯାଇଥିଲା, ତଥାପି ପାଇଲଟ୍ ବିମାନଟିକୁ ସଠିକ୍ ଭାବେ ନିୟନ୍ତ୍ରଣ କରି ରନୱେ ଉପରେ ଅଟକାଇବାରେ ସଫଳ ହୋଇଥିଲେ । ବିମାନବନ୍ଦର ସୁରକ୍ଷା କର୍ମୀଙ୍କ ସୂଚନା ଅନୁସାରେ ଟାୟାର ଫାଟିବା ବ୍ୟତୀତ ବିମାନର ଅନ୍ୟ କୌଣସି କ୍ଷତି ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବିମାନଟି ରନୱେ ମଝିରେ ଅଟକି ରହିବା ଫଳରେ ଏୟାରପୋର୍ଟରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବିମାନବନ୍ଦରରେ ଉଡ଼ାଣ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇ ରନୱେ କ୍ଲିୟର କରିବା କାର୍ଯ୍ୟ ଜାରି ରହିଛି ।





