odisha24 Live

Latest News

Latest News

ଜନତାଙ୍କ ସେବାରେ ୨୫ ବର୍ଷ: ଗୁଜରାଟରୁ ଦିଲ୍ଲୀ, ମୋଦିଙ୍କ ଐତିହାସିକ ଯାତ୍ରା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ମୁଖ୍ୟ ଭାବେ ନିରବଚ୍ଛିନ୍ନ ଭାବେ ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଆବସରରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବା ପାଇଁ ଦିଲ୍ଲୀସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୨୦୧୪ରୁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

ବୁଧବାର ଏହି ଅବସରରେ ଦିଲ୍ଲୀରେ ଜନସାଧାରଣଙ୍କୁ ସମ୍ବୋଧିତ କରି ନିଜ ରାଜନୈତିକ ଯାତ୍ରାକୁ ନେଇ ଭାବବିହ୍ବଳ ହୋଇଥିଲେ ମୋଦି।

ମୋଦି କହିଛନ୍ତି, ୨୦୦୧ ଅକ୍ଟୋବର ୭ରେ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି, ସେତେବେଳେ କେବେ ଭାବି ନ ଥିଲି ଯେ ଦିନେ ଏଭଳି ଏକ ପର୍ଯ୍ୟାୟ ଆସିବ। ଏହି ଉପଲବ୍ଧି ପାଇଁ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ମୁଁ କୃତଜ୍ଞ। ଏହା ମୋ ପାଇଁ ଜନତାଙ୍କ ଆଶୀର୍ବାଦର ଫଳ। ଏଥିପାଇଁ ଭାରତୀୟ ଜନତା ପାର୍ଟି, ଏନ୍ଡିଏ ଏବଂ ମୋ ଉପରେ ବିଶ୍ୱାସ ରଖିଥିବା ସମସ୍ତ ରାଜନୈତିକ ଦଳ ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି। ନିର୍ବାଚନ ପରେ ଜନତା ତାଙ୍କୁ ବିଧାନସଭା ଓ ଲୋକସଭାରେ ନିଜ ସେବା ପାଇଁ ବାଛିଛନ୍ତି। ଆଜି ସେ ଯେଉଁ ସ୍ଥାନରେ ଓ ଯେଉଁ ଦାୟିତ୍ୱରେ ଅଛନ୍ତି, ସେଥିପାଇଁ ଜନତାଙ୍କର ସବୁଠାରୁ ବଡ଼ ଅବଦାନ ରହିଛି। ମୋ ପାଇଁ ଜନତା ଜନାର୍ଦ୍ଦନ ହିଁ ଭଗବାନ। ଦେଶ ମୋତେ ବହୁତ କିଛି ଦେଇଛି, ତେଣୁ ଦେଶ ପାଇଁ ମୋର ଦାୟିତ୍ୱ ମଧ୍ୟ ବହୁତ ବଡ଼। ମୋ ଉପରେ ସବୁଠାରୁ ବଡ଼ ଅଧିକାର ଜନତାଙ୍କର।

ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଛନ୍ତି, ନିର୍ବାଚନ ତାଙ୍କୁ ଶିଖାଇଛି ସାଧନ ଓ ସମ୍ବଳ କମ ହୋଇପାରେ, କିନ୍ତୁ ମଣିଷର ସାହସ ଓ ସ୍ବପ୍ନ ବଡ଼ ହେବା ଆବଶ୍ୟକ। ବୁଦ୍ଧଙ୍କଠାରୁ ସ୍ବାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଯେଉଁ ରାଷ୍ଟ୍ର ମହାନ ଚିନ୍ତାଧାରାର ପରମ୍ପରା ବହନ କରିଆସିଛି, ସେହି ଦେଶର ସେବା କରିବା ସମୟରେ ମୋତେ କେବେ ଏକାକୀ ଅନୁଭବ ହୋଇନାହିଁ। ସ୍ବୟଂସେବକ ଓ କାର୍ଯ୍ୟକର୍ତ୍ତାଙ୍କ ଭରପୂର ସହଯୋଗ ମିଳିଛି। ଆମେ ମାନବତାର ସେବକ। ସେବା ହିଁ ଆମର ଧର୍ମ। ଦୀନଦୁଃଖୀଙ୍କ ସେବା କରିବା ଆମର ନିଶ୍ଚିତ କର୍ତ୍ତବ୍ୟ। ଆଜିର ଦିନ କେବଳ ପୁରୁଣା ସ୍ମୃତିକୁ ମନେ ପକାଇବାର ଦିନ ନୁହେଁ, ବରଂ ନୂଆ ସଂକଳ୍ପକୁ ଅଧିକ ଶକ୍ତି ଦେବାର ଦିନ।

ଲାଲକିଲ୍ଲାରୁ ଦେଇଥିବା ‘ସବକା ପ୍ରୟାସ’ ଆହ୍ବାନକୁ ମନେ ପକାଇ ମୋଦି କହିଛନ୍ତି ଯେ, ଭାରତକୁ ନୂଆ ଉଚ୍ଚତାକୁ ନେବା ପାଇଁ ଦେଶବାସୀଙ୍କ ମନରେ ଦୃଢ଼ ସଂକଳ୍ପ ରହିବା ଆବଶ୍ୟକ।
ଅନ୍ୟପଟେ ଏହି ସଫଳତା ଅବସରରେ ଦେଶବ୍ୟାପୀ ବିଜେପି ପକ୍ଷରୁ ‘ସେବା ଜ୍ୟୋତି ଯାତ୍ରା’ ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Share In Social Media
Scroll to Top