odisha24 Live

Latest News

Latest News

ଆଜି ନବରାତ୍ରର ଦ୍ୱିତୀୟ ଦିନ: ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଆଜି ହେଉଛି ନବରାତ୍ରିର ଦ୍ୱିତୀୟ ଦିନ । ଘରେ ଘରେ ପୂଜା ପାଉଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ମାଆ ଜଗଦମ୍ବାଙ୍କ ନଅରୂପ ଭିତରୁ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ‘ବ୍ରହ୍ମ’ର ଅର୍ଥ ହେଉଛି ତପସ୍ୟା ଏବଂ ‘ଚାରିଣୀ’ର ଅର୍ଥ ଆଚରଣ କରୁଥିବା ବ୍ୟକ୍ତି। ଅର୍ଥାତ୍‌ ତପସ୍ୟାର ଆଚରଣ କରୁଥିବା ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ ।

ଶାନ୍ତ,ବୈରାଗ୍ୟ,ସଦାଚାର,ଶିଷ୍ଟାଚାର,ତ୍ୟାଗ,ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡ଼େ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଏହି ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ ମା’ଙ୍କ କୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।

ମା’ ବ୍ରହ୍ମଚାରିଣୀଙ୍କ ପୌରାଣିକ ଗାଥା

ପୌରାଣିକ ମାନ୍ୟତା ଅନୁଯାୟୀ, ଦେବୀ ପାର୍ବତୀ ପର୍ବତରାଜ ହିମାଳୟଙ୍କ ଗୃହରେ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ। ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ସେ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ ଅତ୍ୟନ୍ତ କଠୋର ତପସ୍ୟା କରିଥିଲେ। ସେ ଏକ ହଜାର ବର୍ଷ ଧରି କେବଳ ଫଳ ଏବଂ ମୂଳ ଖାଇ ରହିଥିଲେ। ଏହାପରେ ଶହେ ବର୍ଷ ପର୍ଯ୍ୟନ୍ତ କେବଳ ଶାଗ ଖାଇ ଏବଂ ଦୀର୍ଘ ସମୟ ଧରି ଖରା, ବର୍ଷା ଓ ଶୀତ କଷ୍ଟ ସହି ଖୋଲା ଆକାଶ ତଳେ ତପସ୍ୟା ଜାରି ରଖିଥିଲେ।• ପରବର୍ତ୍ତୀ ସମୟରେ ସେ ଶୁଖିଲା ବେଲପତ୍ର ଖାଇବା ମଧ୍ୟ ତ୍ୟାଗ କରିଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ‘ଅପର୍ଣ୍ଣା’ ବୋଲି କୁହାଗଲା।ଦେବୀଙ୍କର ଏହିପରି କଠୋର ତପସ୍ୟା ଦେଖି ସମସ୍ତ ଦେବାଦେବୀ ବିସ୍ମିତ ହୋଇଯାଇଥିଲେ। ଶେଷରେ ପିତାମହ ବ୍ରହ୍ମା ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଲେ ଯେ, “ହେ ଦେବୀ! ଆଜି ପର୍ଯ୍ୟନ୍ତ କେହି ଏପରି କଠୋର ତପସ୍ୟା କରିନାହାନ୍ତି। ତୁମର ମନୋସ୍କାମନା ପୂର୍ଣ୍ଣ ହେବ ଏବଂ ଭଗବାନ ଶିବ ତୁମକୁ ପତି ରୂପେ ପ୍ରାପ୍ତ ହେବେ।”ଏହି କଠୋର ତପସ୍ୟା କାରଣରୁ ହିଁ ଦେବୀଙ୍କର ଏହି ସ୍ୱରୂପର ନାମ ‘ବ୍ରହ୍ମଚାରିଣୀ’ ହୋଇଛି। ତାଙ୍କର ଏହି ଗାଥା ଶିକ୍ଷା ଦିଏ ଯେ, ଜୀବନର ଯେତେ ବଡ଼ କଠିନ ସଂଘର୍ଷ ଆସିଲେ ମଧ୍ୟ ମନକୁ ବିଚଳିତ ନକରି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ଉଚିତ।

Share In Social Media
Scroll to Top