
ଭୁବନେଶ୍ୱର : ଆରମ୍ଭ ହେଲା ପାର୍ବଣ ଋତୁ, ଉତ୍ସବମୁଖର ହେଉଛି ପରିବେଶ। ଏହି ସମୟରେ ବେଆଇନ ଭାବେ ଚାନ୍ଦା ଆଦାୟ କରିବା ଭଳି ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ଘଟଣାକୁ ରୋକିବାକୁ ଏବେଠୁ ସଜାଗ ହୋଇଛି ପୋଲିସ। ଜୋରଜବରଦସ୍ତି ଚାନ୍ଦା ଆଦାୟ ଉପରେ ରହିବ କଡ଼ା ନଜର, ନିୟମ ଉଲ୍ଲଂଘନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଏନେଇ ଏଥର ପାର୍ବଣ ପୂର୍ବରୁ ପ୍ରସ୍ତୁତ ହେଉଛି ପୋଲିସ। ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସ୍ଥାନୀୟ ଲୋକଙ୍କୁ କେହି ଏପରି ଚାନ୍ଦା ନାଁରେ ହଇରାଣ କଲେ ୧୧୨ ହେଲ୍ପ ଲାଇନ ନମ୍ବରରେ ଜଣାଇଲେ ଆକ୍ସନ ନେବ ପୋଲିସ। ଏନେଇ ବିଭିନ୍ନ ପୂଜାମଣ୍ଡପ ଓ ପୂଜା କମିଟି ସମେତ ଅନେକ ଲୋକଙ୍କୁ ଅବଗତ କରିଛି ପୋଲିସ। ସୂଚନାଯୋଗ୍ୟ, ତତ୍କାଳୀନ ପୋଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ବେଳେ ‘ଦାଦା ବଟିକୁ ନା’ ଅଭିଯାନର ମୂଳଦୂଆ ପଡି଼ଥିଲା । ଲୋକାଲ ଦାଦାଙ୍କୁ କାବୁ କରିବାକୁ ଗଢ଼ାହୋଇଥିଲା ‘ଆଣ୍ଟି ଏକ୍ସଟୋର୍ସନ ଟାସ୍କ ଫୋର୍ସ’ । ଉଦ୍ଦେଶ୍ୟ ଥିଲା, ନିରୀହ ଲୋକଙ୍କୁ ହଇରାଣ କରୁଥିବା ଅସାମାଜିକଙ୍କ ଉପରେ ଦୃଢ଼ ଆକ୍ସନ ନେବ ଏହି ଟାସ୍କ ଫୋର୍ସ । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ।





