
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ମେରୌଲୀ-ବଦରପୁର ରୋଡ୍, ଆଇଟିଓ, ୱାଜିରାବାଦ ରୋଡ, ପଟେଲ୍ ରୋଡ, ରୋହତକ ରୋଡ, ଶଙ୍କର ରୋଡ, କୀର୍ତ୍ତି ନଗର ଷ୍ଟ୍ରେଚ୍, ଦିଲ୍ଲୀ-ଜୟପୁର ରାଜପଥ ଓ ସାହିନବାଗରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଛି। ଜଳାର୍ଣ୍ଣବ ରାସ୍ତାରେ ଗାଡି ଚଳାଚଳ ମନ୍ଥର ଯୋଗୁଁ ଯାନବାହନର ଲମ୍ବା ଧାଡି ଦେଖିବାକୁ ମିଳିଛି। ସେହିପରି ଏନସିଆରର ନଇଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଜମି ରହିବା କାରଣରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣପୁରୀ, ଓଖଲା, ସଙ୍ଗମ ବିହାର, ବାଲ୍ମୀକି ବସ୍ତିରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ଯାତ୍ରୀଙ୍କୁ ସତର୍କତା ଜାରି କରିଛି। ଟ୍ରାଫିକ ସମସ୍ୟା ପାଇଁ ବିମାନବନ୍ଦରରେ ପହଞ୍ଚିବା ଯେପରି ବିଳମ୍ବ ନହେବ ସେଥିପାଇଁ ଆଗୁଆ ଯାତ୍ରା ପ୍ରସ୍ତୁତ କରିବାକୁ କୁହାଯାଇଛି। ସନ୍ଧ୍ୟାରେ ଅଫିସ କାମ ସାରି ଘରକୁ ଫେରୁଥିବା ଲୋକମାନେ ରାସ୍ତାରେ ଜଳବନ୍ଦୀ ଓ ଟ୍ରାଫକ୍ ଜାମ୍ ଯୋଗୁଁ ଅତିଷ୍ଠ ହୋଇପଡ଼ିଥିଲେ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର କହିବା ଅନୁଯାୟୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଲାଗି ରହିବ।

