odisha24 Live

Latest News

Latest News

କେଦାରନାଥରେ ଅଘଟଣ: ଫସି ରହିଲେ ୪ ହଜାର ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି । ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ପ୍ରତିକୂଳ ପାଣିପାଗ ଓ ଅବିରତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ସହ ସମସ୍ତ ହେଲିକପ୍ଟର ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।
ଅନ୍ୟପଟେ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧,୧୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାକି ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରଶାସନିକ ଉଦ୍ୟମ ଜାରି ରହିଛି।
ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଯେ, ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ଉଦ୍ଧାରକାରୀ ଦଳ ପରସ୍ପର ସହ ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳ ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକଙ୍କୁ ନିରାପଦ ସ୍ଥାନକୁ ପଠାଯାଉଛି।

ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ଚିରବାସା ନିକଟସ୍ଥ ପାହାଡ଼ରୁ ଆହୁରି ପଥର ଖସିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏଣୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ଧୈର୍ଯ୍ୟ ଧରିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରାଯାଇଛି।

Share In Social Media
Scroll to Top