
ଭୁବନେଶ୍ୱର : ଚାହୁଁଚାହୁଁ ସରିବାକୁ ବସିଲାଣି ଦଶହରା । ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଏହି ପର୍ବକୁ ସାରା ଦେଶ ସମେତ ଓଡ଼ିଶାରେ ମହାସମାରୋହରେ ପାଳନ କରାଯାଉଛି। ରାଜ୍ୟର ପୁରପଲ୍ଲୀରେ ଏବେ ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।
‘ବିଜୟା’ ଶବ୍ଦର ଅର୍ଥ ହେଉଛି ବିଜୟ ଏବଂ ‘ଦଶମୀ’ ହେଉଛି ଚନ୍ଦ୍ରମାସର ଦଶମ ତିଥି। ଏହି ଦୁଇ ଶବ୍ଦର ମିଶ୍ରଣ ମଣିଷକୁ ଏକ ଗଭୀର ବାର୍ତ୍ତା ଦିଏ, ସତ୍ୟ, ସାହସ ଓ ଧର୍ମର ପଥରେ ଚାଲିଲେ ଶେଷରେ ବିଜୟ ନିଶ୍ଚିତ। ଏହି ପର୍ବ ମଣିଷ ଜୀବନରେ ନୂଆ ଆଶା, ଉତ୍ସାହ ଓ ସମ୍ଭାବନାର ଦ୍ୱାର ମଧ୍ୟ ଖୋଲିଥାଏ।
ହିନ୍ଦୁ ପୁରାଣ ଅନୁସାରେ, ମହିଷାସୁର ନାମକ ଶକ୍ତିଶାଳୀ ଅସୁରର ଅତ୍ୟାଚାରରେ ଦେବତା ଓ ସମଗ୍ର ଜଗତ ଅତିଷ୍ଠ ହୋଇପଡ଼ିଥିଲେ। ତା’ର ବିନାଶ ଓ ଧର୍ମର ପୁନଃପ୍ରତିଷ୍ଠା ପାଇଁ ଦେବୀ ଦୁର୍ଗାଙ୍କ ଆବିର୍ଭାବ ହୋଇଥିଲା। ଦୀର୍ଘ ସଂଗ୍ରାମ ପରେ ମା’ ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ। ଏହି ବିଜୟ ଦୈବୀ ଶକ୍ତି, ନାରୀଶକ୍ତି ଓ ନ୍ୟାୟର ପ୍ରତୀକ। ଏହା ଆମକୁ ଶିଖାଏ ଯେ ଅନ୍ୟାୟ ଓ ଅତ୍ୟାଚାର ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସତ୍ୟ ଓ ଧର୍ମର ସାମ୍ନାରେ ତାହା ଶେଷରେ ପରାଜିତ ହୁଏ।
ବିଜୟା ଦଶମୀ ସହିତ ପ୍ରଭୁ ଶ୍ରୀରାମଙ୍କ ରାବଣ ଉପରେ ବିଜୟର କାହାଣୀ ମଧ୍ୟ ଜଡ଼ିତ। ରାମାୟଣ ଅନୁସାରେ, ଲଙ୍କାର ରାଜା ରାବଣ ମାତା ସୀତାଙ୍କୁ ହରଣ କରିବା ପରେ ଶ୍ରୀରାମ ତାଙ୍କୁ ପରାସ୍ତ କରିଥିଲେ। ରାବଣର ପରାଜୟ ମଣିଷକୁ ଅହଂକାର, ଲୋଭ ଓ ଅନ୍ୟାୟର କୁପରିଣାମ ସମ୍ପର୍କରେ ସଚେତନ କରେ। ଜ୍ଞାନ, ଶକ୍ତି ଓ ସମ୍ପତ୍ତି ଥିଲେ ମଧ୍ୟ ଯଦି ମଣିଷ ଧର୍ମର ପଥରୁ ବିଚ୍ୟୁତ ହୁଏ, ତେବେ ତାହାର ପତନ ଅବଶ୍ୟମ୍ଭାବୀ। ଏହି କାରଣରୁ ବିଜୟା ଦଶମୀକୁ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଦେଖାଯାଏ।
ବିଜୟା ଦଶମୀକୁ ଅନେକ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଏକ ଶୁଭ ଅବସର ଭାବେ ଗ୍ରହଣ କରନ୍ତି। ଶିକ୍ଷାର ଆରମ୍ଭ, ନୂଆ କୌଶଳ ଶିଖିବା, ବ୍ୟବସାୟ ଆରମ୍ଭ କରିବା କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ ପାଇଁ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହି ପର୍ବ ଆମକୁ ଅତୀତର ଭୁଲରୁ ଶିକ୍ଷା ନେଇ ନୂଆ ଉତ୍ସାହ ଓ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ଜୀବନରେ ଯେତେ ବାଧାବିଘ୍ନ ଆସୁ ନା କାହିଁକି, ଆତ୍ମବିଶ୍ୱାସ ଓ ସକାରାତ୍ମକ ମନୋଭାବ ନେଇ ଆଗେଇ ଚାଲିବା ହିଁ ଏହି ପର୍ବର ଅନ୍ୟତମ ପ୍ରମୁଖ ବାର୍ତ୍ତା।





