
ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା ।ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କର ନବମ ତଥା ଶେଷ ସ୍ୱରୂପ । ନବମୀ ତିଥିରେ ମା’ଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ । ତାଙ୍କ ନାମର ଅର୍ଥ ହେଉଛି ‘ସିଦ୍ଧି ପ୍ରଦାନ କରୁଥିବା ଦେବୀ’ । ଦେବୀ ପୁରାଣ ଅନୁସାରେ ମା’ ସିଦ୍ଧିଦାତ୍ରୀଙ୍କ ସହ ଜଡ଼ିତ ପୌରାଣିକ କଥା ନିମ୍ନରେ ପ୍ରଦାନ କରାଗଲା ।
ମା’ ସିଦ୍ଧିଦାତ୍ରୀଙ୍କ ପୌରାଣିକ ଉତ୍ପତ୍ତି କଥା
ପୌରାଣିକ ମାନ୍ୟତା ଅନୁଯାୟୀ, ସୃଷ୍ଟିର ପ୍ରାରମ୍ଭରେ ଯେତେବେଳେ ଚାରିଆଡ଼େ କେବଳ ଅନ୍ଧକାର ଥିଲା ଏବଂ କୌଣସି ଜୀବଜନ୍ତୁ କିମ୍ବା ବ୍ରହ୍ମାଣ୍ଡର ଅସ୍ତିତ୍ୱ ନଥିଲା, ସେତେବେଳେ ଭଗବାନ ଶିବ ସୃଷ୍ଟି ରଚନା କରିବା ପାଇଁ ସର୍ବୋଚ୍ଚ ଶକ୍ତି ଆଦି ପରାଶକ୍ତିଙ୍କୁ ଆରାଧନା କରିଥିଲେ । ଭଗବାନ ଶିବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଆଦି ପରାଶକ୍ତି ନିଜ ଶରୀରରୁ ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରକଟ କରିଥିଲେ । ମା’ ସିଦ୍ଧିଦାତ୍ରୀ ପ୍ରସନ୍ନ ହୋଇ ଭଗବାନ ଶିବଙ୍କୁ ଅଷ୍ଟ ସିଦ୍ଧି (ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ୱ, ବଶିତ୍ୱ ଓ ସର୍ବକାମାବସାୟିତା) ପ୍ରଦାନ କରିଥିଲେ । ମା’ଙ୍କ କୃପାରୁ ଏହି ସମସ୍ତ ସିଦ୍ଧି ପ୍ରାପ୍ତ କରିବା ପରେ ଭଗବାନ ଶିବଙ୍କ ଅଧା ଶରୀର ଦେବୀ ସିଦ୍ଧିଦାତ୍ରୀଙ୍କ ସ୍ୱରୂପରେ ପରିଣତ ହୋଇଥିଲା । ଏହି କାରଣରୁ ଭଗବାନ ଶିବ ସାରା ସଂସାରରେ ‘ଅର୍ଦ୍ଧନାରୀଶ୍ୱର’ ନାମରେ ପ୍ରସିଦ୍ଧ ହେଲେ ।
ଏହାପରେ ମା’ ସିଦ୍ଧିଦାତ୍ରୀଙ୍କ ଆଦେଶରେ ଭଗବାନ ବ୍ରହ୍ମା ଜୀବଜଗତ ଓ ସୃଷ୍ଟିର ରଚନା କରିବା ସହ ଭଗବାନ ବିଷ୍ଣୁ ଏହାର ପାଳନକର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ ।





