odisha24 Live

Latest News

Latest News

ଫ୍ରାନ୍ସରେ ହିଂସାକାଣ୍ଡ: ଜଳୁଛି ରାଜଧାନୀ

ଫ୍ରାନ୍ସ : ଫ୍ରାନ୍ସରେ ସରକାରଙ୍କ ବିରୋଧରେ ଏକ ବିଶାଳ ପ୍ରତିବାଦ ହିଂସାର ରୂପ ନେଇଛି। ଯାହାଫଳରେ ରାଜଧାନୀ ପ୍ୟାରିସ୍ ସହିତ ଦେଶର ବିଭିନ୍ନ ସହରରେ ବ୍ୟାପକ ଅଶାନ୍ତି ଏବଂ ଅଗ୍ନିକାଣ୍ଡ ଦେଖାଦେଇଛି ।
ଦୁଇଟି ବିଶ୍ୱଯୁଦ୍ଧର ଝଡ଼କୁ ସହି ଦୀର୍ଘ ୧୪୩ ବର୍ଷ ଧରି ଇତିହାସର ସାକ୍ଷୀ ହୋଇ ଛିଡ଼ା ହୋଇଥିଲା ଏକ ଐତିହାସିକ କୋଠା। କିନ୍ତୁ ଶେଷରେ ଦଙ୍ଗାକାରୀଙ୍କ ନିଆଁରେ ଏହାର ବ୍ୟାପକ କ୍ଷତି ହୋଇଛି। ଫ୍ରାନ୍ସର ଲିମୋଜ୍ ସହରରେ ଥିବା ଐତିହାସିକ ଟାଉନ୍ ହଲ୍‌ରେ ନିଆଁ ଲାଗିବା ପରେ ଏହା ପ୍ରାୟତଃ ନଷ୍ଟ ହୋଇଯାଇଥିବା ରିପୋର୍ଟ ହୋଇଛି। ଦେଶରେ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚ, ଛାତ୍ରଛାତ୍ରୀଙ୍କ ଦାବି ଏବଂ ସରକାରୀ ନୀତିକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଏହି ଘଟଣା ଘଟିଛି। ଫ୍ରାନ୍ସର ଅନେକ ସହରରେ ହିଂସା, ଗାଡ଼ି ପୋଡ଼ାଜଳା, ଦୋକାନ ଲୁଟ୍ ଏବଂ ପୋଲିସ ସହ ସଂଘର୍ଷ ହୋଇଥିବା ଖବର ମିଳିଛି।
ଲିମୋଜ୍ ଟାଉନ୍ ହଲ୍ ୧୮୮୩ ମସିହାରେ ନିର୍ମିତ ହୋଇଥିଲା। ଏହି ଐତିହାସିକ କୋଠାକୁ ୧୯୭୫ ମସିହାରେ ଐତିହାସିକ ସ୍ମାରକର ମାନ୍ୟତା ମିଳିଥିଲା। ଶନିବାର ଦିନ ଦେଶବ୍ୟାପୀ ପ୍ରଦର୍ଶନ ଚାଲିଥିବା ସମୟରେ ଏହି କୋଠାରେ ନିଆଁ ଲାଗିଥିଲା। ନିଆଁ ଯୋଗୁଁ କୋଠାଟିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି। ଦୀର୍ଘ ଦଶନ୍ଧି ଧରି ଫ୍ରାନ୍ସର ଐତିହ୍ୟକୁ ବହନ କରିଆସୁଥିବା ଏହି କୋଠାର ଏପରି ଅବସ୍ଥା ଦେଶରେ ଚାଲିଥିବା ଅଶାନ୍ତିର ଭୟାବହତାକୁ ଦର୍ଶାଉଛି।

ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ମଧ୍ୟ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା। ସହରର ପ୍ଲାସ୍ ଦେ ଲା ରିପବ୍ଲିକ୍ ଅଞ୍ଚଳ ନିକଟରେ ଗାଡ଼ି ଜାଳି ଦିଆଯାଇଥିବା ବେଳେ ଅନେକ ଦୋକାନରେ ଲୁଟ୍‌ପାଟ୍ ହୋଇଥିଲା। ମୁହଁ ଢାଙ୍କିଥିବା କିଛି ପ୍ରଦର୍ଶନକାରୀ ପୋଲିସ ଉପରକୁ ଆତସବାଜି, ପଥର ଓ ଅନ୍ୟାନ୍ୟ ଜିନିଷ ଫିଙ୍ଗିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ଓ ଜଳତୋପ ବ୍ୟବହାର କରିଥିଲା।

ଆସୋସିଏଟେଡ୍ ପ୍ରେସ୍‌ର ସାମ୍ବାଦିକଙ୍କ ରିପୋର୍ଟ ଅନୁସାରେ, ଜଳୁଥିବା କାର୍, ସାଇକେଲ୍, ଅନ୍ୟାନ୍ୟ ଯାନବାହନ ଓ ଅଳିଆ ପାତ୍ରରୁ ଘନ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା। ଏକ କିଓସ୍କରେ ମଧ୍ୟ ନିଆଁ ଲାଗିଥିଲା। ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଥିଲା।

ରାଷ୍ଟ୍ରପତି ଭବନ, ସଂସଦ ଓ ସରକାରୀ କାର୍ଯ୍ୟାଳୟ ନିକଟକୁ ପ୍ରଦର୍ଶନକାରୀଙ୍କ ଛୋଟ ଛୋଟ ଗୋଷ୍ଠୀ ଯିବାକୁ ରୋକିବା ପାଇଁ ପୋଲିସ ଉଦ୍ୟମ କରିଥିଲା। ସୁରକ୍ଷା ଦୃଷ୍ଟିରୁ ଚାମ୍ପ୍ସ-ଏଲିସିଜ୍ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ମେଟ୍ରୋ ଷ୍ଟେସନ୍ ବନ୍ଦ କରାଯାଇଥିଲା। ତେବେ ସମସ୍ତ ପ୍ରଦର୍ଶନକାରୀ ହିଂସାରେ ସାମିଲ ନଥିଲେ। ଅନେକ ଲୋକ ଶାନ୍ତିପୂର୍ଣ୍ଣ ଭାବେ ରାଲି କରିଥିଲେ। ସେମାନେ ଫ୍ରାନ୍ସର ଜାତୀୟ ସଙ୍ଗୀତ ଗାଇବା ସହ ଜାତୀୟ ପତାକା ଧରିଥିଲେ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇଥିଲେ।

ଏହି ଅଶାନ୍ତି କେବଳ ପ୍ୟାରିସ୍‌ରେ ସୀମିତ ରହିନଥିଲା। ଫ୍ରାନ୍ସର ତୃତୀୟ ବୃହତ୍ତମ ସହର ଲିଓଁରେ ପ୍ରାୟ ୨୦ ହଜାର ଲୋକଙ୍କ ରାଲି ସମୟରେ ଏକ ପର୍ଯ୍ୟଟନ କାର୍ଯ୍ୟାଳୟ ଭିତରେ ନିଆଁ ଲାଗିଥିଲା।

Share In Social Media
Scroll to Top