odisha24 Live

Latest News

Latest News

ନବରାତ୍ରି ଷଷ୍ଠ ଦିନ: କାହିଁକି ମା’ଙ୍କ ନାମ ହେଲା ‘କାତ୍ୟାୟନୀ’? ଏହା ପଛର ପୌରାଣିକ କଥା

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ । ତାଙ୍କର ପୂଜା ଓ ଆରାଧନା ଦ୍ୱାରା ଭକ୍ତମାନେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ଏହି ଚାରୋଟି ଫଳ ଅତି ସହଜରେ ପ୍ରାପ୍ତ କରିଥା’ନ୍ତି । ମା’ଙ୍କ ଆରାଧନା କଲେ ରୋଗ ,ଶୋକ, ସନ୍ତାପ ଓ ଭୟ ନଷ୍ଟ ହୋଇଯାଏ । ଜନ୍ମ ଜନ୍ମାନ୍ତରର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇଯାଏ ।

ପୌରାଣିକ କଥା ଅନୁଯାୟୀ, ଥରେ ମହର୍ଷି କାତ୍ୟାୟନ ସନ୍ତାନ ପ୍ରାପ୍ତି ପାଇଁ ଦେବୀ ଭଗବତୀଙ୍କ କଠୋର ତପସ୍ୟା କରିଥିଲେ । ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଭଗବତୀ ତାଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ବରଦାନ ଦେଇଥିଲେ ଯେ ସେ ତାଙ୍କ ଘରେ ତାଙ୍କ ଝିଅ ରୂପେ ଜନ୍ମ ନେବେ । ଥରେ ମହିଷାସୁର ନାମକ ଏକ ରାକ୍ଷସର ଅତ୍ୟାଚାର ବହୁତ ବଢ଼ିଯାଇଥିଲା, ଯାହାଦ୍ୱାରା ଚାରିଆଡ଼େ ହାହାକାରର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର)ଙ୍କ ତେଜରୁ ଦେବୀ ଜନ୍ମ ନେଇଥିଲେ, ଯିଏ ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ଯେଉଁ କାରଣରୁ ତାଙ୍କ ନାମ କାତ୍ୟାୟନୀ ପଡ଼ିଲା । ମା’ ରାଣୀଙ୍କ ଘରେ ଝିଅ ରୂପେ ଜନ୍ମ ନେବା ପରେ ଋଷି କାତ୍ୟାୟନ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ମା’ କାତ୍ୟାୟନୀଙ୍କ ବିଧି-ବିଧାନରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ମା’ କାତ୍ୟାୟନୀ ଦଶମୀ ତିଥିରେ ମହିଷାସୁରର ବଧ କରିଥିଲେ, ତେଣୁ ତାଙ୍କୁ ମହିଷାସୁର ମର୍ଦ୍ଦିନୀ ନାମରେ ମଧ୍ୟ ଜଣାଗଲା ।

ସେହିପରି ଭାଗବତରେ ବର୍ଣ୍ଣନା ରହିଛି , ଦ୍ଵାପର ଯୁଗରେ ଗୋପପୁରର ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ସ୍ଵାମୀ ରୂପେ ପାଇବା ପାଇଁ ଯମୁନା ନଦୀ କୂଳରେ ମା’ କାତ୍ୟାୟନୀଙ୍କର ଏକ ମାଟିର ମୂର୍ତ୍ତି ଗଢ଼ି କଠୋର ବ୍ରତ ଓ ପୂଜାର୍ଚ୍ଚନା କରିଥିଲେ। ସେହି ସମୟରୁ ଏକ ବିଶ୍ୱାସ ରହିଛି ଯେ, ଯେଉଁ କନ୍ୟାମାନଙ୍କ ବିବାହରେ ବିଳମ୍ବ ବା ବାଧା ସୃଷ୍ଟି ହେଉଥାଏ, ସେମାନେ ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ନିଷ୍ଠାର ସହ ପୂଜା କଲେ ସୁଯୋଗ୍ୟ ବର ପ୍ରାପ୍ତି ହୋଇଥାଏ।
ସେଥିପାଇଁ ସେ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରତିଷ୍ଠିତ ଅଛନ୍ତି । ତାଙ୍କର ସ୍ୱରୂପ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅଟେ । ସୁବର୍ଣ୍ଣ ପରି ଉଜ୍ଜ୍ୱଳ ଓ ଭାସ୍ୱର ଅଟନ୍ତି ମା’ । ଦେବୀ ଚତୁର୍ଭୁଜାଙ୍କର ଡାହାଣ ପଟର ଉପର ହାତ ଅଭୟମୁଦ୍ରାରେ ଏବଂ ତଳ ହାତ ବରମୁଦ୍ରାରେ ଅଛି । ମା’ଙ୍କ ବାମ ପଟର ଉପର ହାତରେ ଖଣ୍ଡା ଓ ତଳ ହାତରେ କମଳ ଫୁଲ ଶୋଭା ପାଉଛି । ମା’ଙ୍କର ବାହନ ସିଂହ,ତାଙ୍କର ଉପାସନା ଓ ଆରାଧନା ଦ୍ୱାରା ଭକ୍ତମାନେ ଅତି ସହଜରେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ଏହି ଚାରୋଟି ଫଳ ପ୍ରାପ୍ତ କରିଥା’ନ୍ତି । ସେଥିପାଇଁ କୁହାଯାଏ ଯେ ଏହି ଦେବୀଙ୍କର ଉପାସନା କରିବା ଦ୍ୱାରା ପରମ ପଦର ପ୍ରାପ୍ତି ହୁଏ।

Share In Social Media
Scroll to Top