
ମୁମ୍ବାଇ : ଏଆଇ ଦୁନିଆରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ମେଟା । କମ୍ପାନୀ ଦୁଇଟି ନୂଆ ଏଆଇ ମଡେଲ୍ ଆଣିଛି । ଏହାର ନାଁ ହେଉଛି Muse Wonder ଏବଂ Muse Wonder Full । ଏହି ନୂଆ ମଡେଲଗୁଡ଼ିକ କେବଳ ପ୍ରଶ୍ନର ଉତ୍ତର ଦେବେ ନାହିଁ, ବରଂ ଅନେକ ଜଟିଳ କାମକୁ ନିଜେ ପର୍ଯ୍ୟାୟକ୍ରମେ କରିବାରେ ସାହାଯ୍ୟ କରିବେ । ଯେପରିକି ଆଇନ ସମ୍ବନ୍ଧୀୟ କାଗଜପତ୍ର ବୁଝିବା, ଟଙ୍କାପଇସାର ହିସାବ କରିବା ଏବଂ ନୂଆ ସଫ୍ଟୱେର୍ ତିଆରି କରିବା ଭଳି କାମ ।
ସାଧାରଣତଃ AIକୁ କୌଣସି କାମ କରାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦେବାକୁ ପଡ଼େ । କିନ୍ତୁ ମେଟାର ଦାବି ଅନୁସାରେ, ଏହି ନୂଆ ମlଡେଲଗୁଡ଼ିକୁ ଗୋଟିଏ କାମ ଦେଲେ, ସେମାନେ ତାହାକୁ ଶେଷ କରିବା ପାଇଁ ଲଗାତାର କାମ କରିପାରିବେ । ଏହାଦ୍ୱାରା ଘରଭଡ଼ା ଚୁକ୍ତିନାମା ବୁଝିବା, ବୀମା ସମ୍ବନ୍ଧୀୟ କାମ କରିବା ଏବଂ ମୋବାଇଲ୍ ଆପ୍ ତିଆରି କରିବା ଭଳି କାମ ସହଜ ହୋଇପାରିବ ।
ମେଟାର CEO ମାର୍କ ଜୁକରବର୍ଗ ମଧ୍ୟ ଏହାକୁ କମ୍ପାନୀର AI ଯାତ୍ରାରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି । ଲୋକଙ୍କ ବ୍ୟକ୍ତିଗତ ଏବଂ କାର୍ଯ୍ୟକ୍ଷେତ୍ରର କାମକୁ ସହଜ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ଏହି ମଡେଲଗୁଡ଼ିକର କାମ କରିବା କ୍ଷମତା ଜାଣିବା ପାଇଁ ମେଟା ତିନୋଟି ପରୀକ୍ଷାର ଫଳାଫଳ ମଧ୍ୟ ଦେଇଛି । ଏଥିରେ ଆଇନ ସମ୍ବନ୍ଧୀୟ କାମ, ସଫ୍ଟୱେର୍ ତିଆରି ଏବଂ ବ୍ୟବସାୟର ବିଭିନ୍ନ କାମ ସାମିଲ ରହିଛି । କମ୍ପାନୀ ଦେଇଥିବା ଡାଟା ଅନୁସାରେ, ଅନେକ କ୍ଷେତ୍ରରେ Muse Wonder Full ଭଲ ପ୍ରଦର୍ଶନ କରିଛି ।
ଏହି ମଡେଲରେ ଆଉ ଦୁଇଟି ଖାସ୍ ଫିଚର୍ ରହିଛି । ପ୍ରଥମଟି ହେଉଛି Active Memory । ଏହାଦ୍ୱାରା AI ପୂର୍ବରୁ ଦିଆଯାଇଥିବା ଜରୁରୀ ସୂଚନାକୁ ମନେ ରଖିପାରିବ । ଦ୍ୱିତୀୟଟି ହେଉଛି Active Focus । ଏହା କାମ କରିବା ସମୟରେ କୌଣସି ସମସ୍ୟା ଆସିଲେ ଅନ୍ୟ ଉପାୟ ଖୋଜିବାରେ ସାହାଯ୍ୟ କରିବ । ତେବେ ଏହି ମଡେଲଗୁଡ଼ିକ ସମସ୍ତଙ୍କ ପାଇଁ ଏବେ ଉପଲବ୍ଧ ନୁହେଁ। Muse Wonder ଡେଭଲପର୍ ଏବଂ ବିଲ୍ଡର୍ମାନଙ୍କ ପାଇଁ ଉପଲବ୍ଧ ଥିବାବେଳେ, Muse Wonder Fullକୁ Muse Codeର ସବ୍ସ୍କ୍ରାଇବରମାନେ ବ୍ୟବହାର କରିପାରିବେ।
ଅନ୍ୟପଟେ, AIରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ମଧ୍ୟ ମେଟା ଗୁରୁତ୍ୱ ଦେଇଛି । କମ୍ପାନୀର କହିବା ଅନୁସାରେ, ଏହି ମଡେଲ୍ଗୁଡ଼ିକୁ ବ୍ୟକ୍ତିଗତ ସୂଚନାର ସୁରକ୍ଷା ଏବଂ କ୍ଷତିକାରକ କାମକୁ ରୋକିବା ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଆଗାମୀ ଦିନରେ ଏହି ନୂଆ AI ମଡେଲ୍ କେତେ ସଫଳ ହେଉଛି ଏବଂ ସାଧାରଣ ଲୋକଙ୍କ କେତେ କାମରେ ଆସୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।




