
ମୁମ୍ବାଇ : ମହଙ୍ଗା ସମୟରେ ପାର୍ୱଣ ଋତୁରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ର ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ଉତ୍ତର ପ୍ରଦେଶର ପ୍ରାୟ ୧.୮୬ କୋଟି ପରିବାରକୁ ବର୍ଷକୁ ଦୁଇଥର ଅର୍ଥାତ ଦୀପାବଳି ଏବଂ ହୋଲିରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ ଉପରେ ସମ୍ପୂର୍ଣ୍ଣ ସବସିଡି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୀପାବଳି ଅବସରରେ ଅକ୍ଟୋବରରୁ ଡିସେମ୍ୱର ୨୦୨୬ ମଧ୍ୟରେ ରିଫିଲ କରାଇବା ପରେ ଏଲପିଜି ସିଲିଣ୍ଡରର ସବସିଡି ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।
ପ୍ରକୃତରେ, ବଢୁଥିବା ମହଙ୍ଗା ଦର ଏବଂ ରନ୍ଧନ ଗ୍ୟାସର ଦର ଯୋଗୁଁ ଅନେକ ଗରିବ ପରିବାର ପାଇଁ ନିୟମିତ ଭାବେ ଗ୍ୟାସ ସିଲିଣ୍ଡର ରିଫିଲ କରିବା ଏକ ଆହୱାନ ପାଲଟିଥିଲା। ଅନେକ ହିତାଧିକାରୀ ଗ୍ୟାସ ସଂଯୋଗ ଥାଇ ମଧ୍ୟ ପାରମ୍ପରିକ ଚୁଲି ବା କାଠ ଉପରେ ର୍ନିଭର କରିବାକୁ ବାଧ୍ୟ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ପର୍ୱପର୍ୱାଣିର ଖୁସିକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି ମାଗଣା ସିଲିଣ୍ଡର ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ମାଗଣା ରିଫିଲ ଅକ୍ଟୋବରରୁ ଡିସେମ୍ୱର ୨୦୨୬ ଅର୍ଥାତ ଦୀପାବଳି ଅବସରରେ ଏବଂ ଦ୍ୱିତୀୟ ରିଫିଲ ଜାନୁଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଅର୍ଥାତ ହୋଲିରେ ମିଳିବ।
ଏହି ମାଗଣା ଉପହାର କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପଞ୍ଜୀକୃତ ଉପଭୋକ୍ତାମାନଙ୍କ ପାଇଁ ଉଦ୍ଦିଷ୍ଟ। ସାଧାରଣ ବର୍ଗର ଘରୋଇ ଗ୍ୟାସ ସଂଯୋଗ ଏହାର ପରିସରଭୁକ୍ତ ନୁହେଁ। ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କ ଆଧାର ପ୍ରମାଣୀକରଣ ଏବଂ ଗ୍ୟାସ ସଂଯୋଗର eKYC ସମ୍ପୂର୍ଣ୍ଣ ହୋଇଥିବା ଅତ୍ୟନ୍ତ ଜରୁରୀ। ଉପଭୋକ୍ତାଙ୍କ ବ୍ୟାଙ୍କ ଖାତା ଆଧାର ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ ଏବଂ ସେଥିରେ DBT ଅର୍ଥାତ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ସକ୍ରିୟ ଥିବା ଉଚିତ, ଯାହାଦ୍ୱାରା ସବସିଡି ରାଶି ସିଧାସଳଖ ଖାତାକୁ ଆସିପାରିବ।




