odisha24 Live

Latest News

Latest News

ବିବାଦ ନେଲା ବିଧାୟକଙ୍କ ଜୀବନ

ଜୟପୁର: ରାଜସ୍ଥାନର ଭରତପୁର ଜିଲ୍ଲାରେ ହିଂସାର ଏକ ବଡ଼ ଘଟଣା ଘଟିଛି, ଯାହା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିଜ ଜିଲ୍ଲାରେ ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖନନ କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ବିଜେପି କିଷାନ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ସୃଷ୍ଟି କରିଛି।

ରବିବାର ସନ୍ଧ୍ୟା ଶେଷ ଭାଗରେ, ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନା ନିଜର କ୍ରଶର୍ ପ୍ଲାଣ୍ଟରେ ଥିବା ସମୟରେ ୭୦ରୁ ୮୦ ଜଣ ଲୋକଙ୍କ ଏକ ଉତ୍ତ୍ୟକ୍ତ ଗୋଷ୍ଠୀ ହଠାତ୍ ସେଠାରେ ଆକ୍ରମଣ କରିଥିଲେ। ଅତର ସିଂହ ଏବଂ ତାଙ୍କ ସହଯୋଗୀ ଗଗନ ଶର୍ମାଙ୍କୁ ବାଡ଼ି, ଗଦା, ଇଟା ଓ ପଥର ସାହାଯ୍ୟରେ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିଲା। ଏହି ଘଟଣା ସମୟରେ ପୂର୍ବତନ ବିଧାୟକଙ୍କୁ ଗୁଳି ମଧ୍ୟ କରାଯାଇଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଅଭିଯୋଗ ରହିଛି ଯେ, ବାରମ୍ବାର ସୂଚନା ଦିଆଯିବା ସତ୍ତ୍ୱେ ପୋଲିସ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲା।

ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଅତର ସିଂହ ଭଡ଼ାନା ଏବଂ ଗଗନ ଶର୍ମାଙ୍କୁ ପ୍ରଥମେ ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଜୟପୁରସ୍ଥିତ ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନାଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏକ କ୍ରସର୍ ପ୍ଲାଣ୍ଟକୁ ଯିବା ରାସ୍ତାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ପୂର୍ବତନ ବିଧାୟକଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସୁଥିଲା, ଏପରିକି ଗ୍ରାମବାସୀମାନେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ପରିସ୍ଥିତିର ସମାଧାନ କରିବା ଉଦ୍ଦେଶ୍ୟରେ ପୂର୍ବତନ ବିଧାୟକ ନିଜେ ଉକ୍ତ ପ୍ଲାଣ୍ଟକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା।

Share In Social Media
Scroll to Top