
ଇସ୍ରାଏଲ୍ : ଫ୍ଲାଇଦୁବାଇ କ୍ୟାପଟେନ ସ୍ମିତ ମାଚ୍ଛରକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି । ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନହୁ ତାଙ୍କ ସାହସଙ୍କୁ ପ୍ରଶଂସା କରିଛନ୍ତି । ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ତତ୍ପରତା ଯୋଗୁ ପ୍ରାୟ ୧୮୦ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା ।ଏବେ ଏହି ସାହସ ପାଇଁ ତାଙ୍କୁ ଇସ୍ରାଏଲ୍ରେ ସମ୍ମାନିତ କରାଯିବ। ଭାରତରେ ଇସ୍ରାଏଲ୍ର ରାଷ୍ଟ୍ରଦୂତ ରୁଭେନ୍ ଅଜାର ଏହି ଘୋଷଣା କରିଛନ୍ତି।
ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, କକ୍ପିଟ୍ ଭିତରେ କୋ-ପାଇଲଟ୍ଙ୍କ ଆକ୍ରମଣରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଆହତ ହୋଇଥିଲେ। ଏହା ପରେ ବିମାନର ନିୟନ୍ତ୍ରଣକୁ ନେଇ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତ ହୋଇଥିଲେ ମଧ୍ୟ ସ୍ମିତ କକ୍ପିଟ୍ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ବିମାନ ଭିତରେ ଥିବା ଅନ୍ୟମାନେ ହସ୍ତକ୍ଷେପ କରିବାର ସୁଯୋଗ ପାଇଥିଲେ। ପରେ ଅଫ୍-ଡ୍ୟୁଟି ପାଇଲଟ୍ମାନେ ମଧ୍ୟ ବିମାନ ନିୟନ୍ତ୍ରଣରେ ସହାୟତା କରିଥିଲେ। ବିମାନଟି ଶେଷରେ ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା।
ଏହି ଘଟଣା ପରେ ଭାରତୀୟ ପାଇଲଟ୍ଙ୍କ ସାହସକୁ ପୂରା ବିଶ୍ବ ପ୍ରଶଶଂସା କରୁଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଖୁବ୍ ପ୍ରଶଂସା କରାଯାଇଛି। କାରଣ ଏଥିରେ ପ୍ରାୟତଃ ଇସ୍ରାଏଲୀ ନାଗରିକ ଥିଲେ । ଏନେଇ ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ୍ ଅଜାର କହିଛନ୍ତି ଯେ, ସ୍ମିତଙ୍କ ସାହସ, ଧୈର୍ଯ୍ୟ ଓ ତତ୍ପରତା ଯୋଗୁ ଅନେକ ଜୀବନ ବଞ୍ଚିପାରିଥିଲା। ଇସ୍ରାଏଲ୍ ସେହି ଲୋକଙ୍କୁ କେବେ ଭୁଲେ ନାହିଁ, ଯେଉଁମାନେ ସଙ୍କଟ ସମୟରେ ସହାୟତା କରନ୍ତି ବୋଲି ସେ କହିଛନ୍ତି। ରାଷ୍ଟ୍ରଦୂତଙ୍କ କହିବା ଅନୁସାରେ, ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସଦ ବାଚସ୍ପତିଙ୍କ ସମେତ ଦେଶର ଅନେକ ଲୋକ ସ୍ମିତଙ୍କ ସାହସ ପାଇଁ କୃତଜ୍ଞ। ତାଙ୍କୁ ଇସ୍ରାଏଲ୍ରେ ଉପଯୁକ୍ତ ଭାବେ ସମ୍ମାନିତ କରାଯିବ ବୋଲି ଅଜାର ସ୍ପଷ୍ଟ କରିଛନ୍ତି।





