odisha24 Live

Latest News

Latest News

ସାରା ଦେଶ ପାଳୁଛି ୧୫୭ତମ ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର : ଆଜି ଅକ୍ଟୋବର ୨ ତାରିଖ, ଦେଶ ପାଳୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଅହିଂସା ଓ ସରଳତାର ବାର୍ତ୍ତାକୁ ମନେ ପକାଉଛନ୍ତି ଦେଶବାସୀ । ଭାରତୀୟ ଇତିହାସରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ଦିନରେ ଜନ୍ମ ନେଇଥିଲେ ଦେଶର ଦୁଇ ମହାନ ପୁରୁଷ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ସାରା ଦେଶ ଏହି ଦୁଇ ମହାପୁରୁଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ ।
ଭାରତର ସ୍ୱାଧୀନତା ସଂଗ୍ରାମକୁ ସେ ସତ୍ୟାଗ୍ରହ ଓ ଅହିଂସାର ଏକ ନୂଆ ଦିଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଆନ୍ଦୋଳନ ଭଳି ଐତିହାସିକ ଆନ୍ଦୋଳନ ସହ ତାଙ୍କ ନେତୃତ୍ୱ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗାନ୍ଧୀଙ୍କ ପାଇଁ ସ୍ୱାଧୀନତା କେବଳ ବ୍ରିଟିଶ ଶାସନରୁ ମୁକ୍ତି ନଥିଲା। ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ସାମାଜିକ ସମାନତା ଓ ସାମ୍ପ୍ରଦାୟିକ ସଦ୍ ଭାବକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ଚରଖା ଓ ଖଦି ମାଧ୍ୟମରେ ସ୍ୱଦେଶୀ ଓ ଆତ୍ମନିର୍ଭରତାର ବାର୍ତ୍ତା ଦେଇଥିଲେ ବାପୁ। ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଥିଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଏକାଧିକ ଥର ଓଡ଼ିଶା ଗସ୍ତ କରିଥିଲେ । ଓଡ଼ିଶାର ଦାରିଦ୍ର୍ୟ, ଗ୍ରାମୀଣ ଜୀବନ ଓ ସାମାଜିକ ସମସ୍ୟା ତାଙ୍କୁ ପ୍ରଭାବିତ କରିଥିଲା । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ଓଡ଼ିଶାର ଅନେକ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ।

ଗାନ୍ଧୀଙ୍କ ଅହିଂସା ଦର୍ଶନର ବିଶ୍ୱବ୍ୟାପୀ ଗୁରୁତ୍ୱକୁ ସ୍ୱୀକୃତି ଦେଇ ଜାତିସଂଘ ଅକ୍ଟୋବର ୨କୁ International Day of Non-Violence ଭାବେ ପାଳନ କରୁଛି । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ବାପୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି, ପ୍ରାର୍ଥନା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସତ୍ୟ ଓ ଅହିଂସାର ମାର୍ଗରେ ସମାଜ ପରିବର୍ତ୍ତନର ଯେଉଁ ବାର୍ତ୍ତା ଗାନ୍ଧୀ ଦେଇଯାଇଛନ୍ତି, ତାହା ଆଜି ବି ତାଙ୍କ ଉତ୍ତରାଧିକାରର ମୂଳ ଅଂଶ ।

Share In Social Media
Scroll to Top