
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ ପ୍ରଭାବ ନ ଥିବାରୁ ବର୍ଷା କମିଛି। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୧୨-୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ।
ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିଲେ ବି ଓଡ଼ିଶାରେ ନିର୍ଧୂମ ବର୍ଷା ହୋଇଛି। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସରେ ଯେତିକି ବର୍ଷା ହେବା କଥା, ୩ ମାସରେ (ଅଗଷ୍ଟ ଶେଷ ସୁଦ୍ଧା) ଓଡ଼ିଶା ତା’ଠାରୁ ଅଧିକ ବର୍ଷା ପାଇଛି। ଜୁନ୍ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୨୫% ଅଧିକ ବର୍ଷା ହୋଇଛି। ଦୁଇଟି ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ଓ ୧୭ ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ଦେଇଛି ମୌସୁମୀ। ତଥାପି ରାଜ୍ୟର ଅନେକ ଜଳଭଣ୍ଡାର ଏବେ ବି ଅଧା ପୂରିନି।





