
ନୂଆଦିଲ୍ଲୀ : ଜଜ୍ ହେବାକୁ ଆଶା ରଖିଥିବା ଆଇନ ଛାତ୍ରଛାତ୍ରୀ ଏବଂ ଯୁବ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ କମାଇଛନ୍ତି। ଏଣିକି ୧ ବର୍ଷ ଧରି ଆଇନଜୀବୀ ଭାବେ କାମ କରିବାର ଅଭିଜ୍ଞତା ଥିଲେ ଆପଣ ନ୍ୟାହିକା ସେବା ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ । ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଏ.ଜି. ମସିହ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ୨:୧ ଅନୁପାତରେ ଏହି ରାୟ ଦେଇଛନ୍ତି। ଏହା ସହିତ ୨୦୨୫ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ୩ ବର୍ଷର ଅଭିଜ୍ଞତା ସମ୍ପର୍କିତ ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି। ଗତବର୍ଷ ମେ ୨୦, ୨୦୨୫ରେ ତତ୍କାଳୀନ ସିଜେଆଇ ବି.ଆର. ଗଭାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷା ପାଇଁ ନୂଆ ଆଇନ ସ୍ନାତକମାନଙ୍କ ଉପରେ ୩ ବର୍ଷର ଓକିଲାତି ଅନୁଭବର ସର୍ତ୍ତ ଲାଗୁ କରିଥିଲେ। ଏହାର ଅର୍ଥ ହେଲା, ଆଇନ ପାଠ୍ୟକ୍ରମ ଶେଷ କରିବା ପରେ ତୁରନ୍ତ ନ୍ୟାୟିକ ସେବା ପରୀକ୍ଷାରେ ବସିବାର ସୁଯୋଗ ରହୁନଥିଲା। ପ୍ରଥମେ ୩ ବର୍ଷ ଓକିଲାତି କରିବା ପରେ ପରୀକ୍ଷା ଦେବାକୁ ପଡ଼ୁଥିଲା। ଏବେ ସୁପ୍ରିମକୋର୍ଟ ଏହି ସର୍ତ୍ତକୁ କୋହଳ କରି ୧ ବର୍ଷର ସକ୍ରିୟ ଓକିଲାତି ଅନୁଭବକୁ ଯଥେଷ୍ଟ ବୋଲି କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆଇନ ସ୍ନାତକମାନେ ଆବେଦନ କରିବାକୁ ଯୋଗ୍ୟ ହେବେ।





