
ଭୁବନେଶ୍ୱର : ଧାଡି ଧାଡି ହୋଇ ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟରେ ବେହାଲ ହୋଇଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ । ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁରରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ସମୁଦ୍ର ଅଶାନ୍ତ ରହିପାରେ। ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକାରେ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।





