odisha24 Live

Latest News

Latest News

ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲଗାଣ ବର୍ଷା ପରେ ଓଡ଼ିଶାରେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଭୂମିଗତ ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମାଝୀ ପ୍ରଭାବିତ ପରିବାରମାନଙ୍କ ସହିତ ଆଲୋଚନା କରିବେ, ରିଲିଫ୍ ଶିବିରଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ ଏବଂ ଜିଲ୍ଲା ପ୍ରଶାସନ, ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଥିବା ଉଦ୍ଧାର ଏବଂ ପୁନରୁଦ୍ଧାର ପ୍ରୟାସର ସମୀକ୍ଷା କରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତା ସହ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିବା ସହ ଆବଶ୍ୟକ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି । ଉଦ୍ଧାର ଓ ସହାୟତା କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ 3 ଜଣ ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରି କାର୍ଯ୍ୟର ତଦାରଖ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ମୁଁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବି । ଆପଣମାନେ ପ୍ରଶାସନର ନିର୍ଦ୍ଦେଶାବଳୀକୁ ପାଳନ କରି ସୁରକ୍ଷିତ ରୁହନ୍ତୁ, ସରକାର ସଦାସର୍ବଦା ଆପଣଙ୍କ ସହ ଅଛନ୍ତି ।

Share In Social Media
Scroll to Top