
ଭୁବନେଶ୍ୱର : ଏଣିକି ବୈଧ ବୀମା ନଥିଲେ ଆଉ ତ୍ରାହି ନାହିଁ । ବିଶେଷକରି ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଟୋଲଗେଟ୍ରେ ଇ-ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ପ୍ରସଙ୍ଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମାବଳୀର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦିଆଯାଇଛି । ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ । ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେଗୁଡ଼ିକ ବିରୋଧରେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ୱରୂପ ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ ଓ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ ।

