
ଭୁବନେଶ୍ୱର : ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଅନୁଯାୟୀ କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ ନେଇ ମନ୍ତ୍ରୀଙ୍କ ସୂଚନା । ୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୮ରୁ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା। କ୍ୟାମ୍ପସ୍ ସମ୍ପର୍କିତ ବିଭିନ୍ନ ସମସ୍ୟା ସହ କୋଭିଡ୍ ପରିସ୍ଥିତିକୁ ନେଇ ମଧ୍ୟ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିଲା। କୋଭିଡ ପରେ ମଧ୍ୟ ପୂର୍ବ ସରକାର ଏ ନେଇ କୌଣସି ପଦକ୍ଷେପ ନେଇନଥିଲେ।
ଫଳରେ ବର୍ଷ ବର୍ଷ ଧରି ଅନେକ କ୍ୟାମ୍ପସରେ ନିର୍ବାଚିତ ଛାତ୍ର ପ୍ରତିନିଧିତ୍ୱ ନଥିଲା। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ନିର୍ବାଚିତ ପ୍ରତିନିଧି ନଥିବାରୁ କ୍ୟାମ୍ପସ୍ ରାଜନୀତିରେ ମଧ୍ୟ ଏକ ପ୍ରକାର ଶୂନ୍ୟତା ଦେଖାଦେଇଥିଲା।
କ୍ୟାମ୍ପସ୍ ଇଲେକ୍ସନ୍ ପୁଣି ଆରମ୍ଭ କରିବା ନେଇ ବିଜେପି ପକ୍ଷରୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର କ୍ୟାମ୍ପସଗୁଡ଼ିକରେ ପୁଣି ଛାତ୍ର ରାଜନୀତି ସରଗରମ ହେବାର ବାଟ ଫିଟିଛି।
ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଦାବି କରିଆସୁଥିଲା। ୨୦୨୪ରୁ ଭାଜପା ଓଡ଼ିଶାରେ ଶାସନକୁ ଆସିଛି। ଏହାରି ଭିତରେ ସରକାର କରିବାର ପାଖାପାଖି ଅଢ଼େଇ ବର୍ଷ ବିତିଯାଇଛି। ଚଳିତବର୍ଷ ସରକାର ଛାତ୍ର ସଂସଦ ନିର୍ବାଚନ କରାଇବେ ।





