
ଇସଲାମାବାଦ: ପାକିସ୍ତାନ ନିଜେ ସୃଷ୍ଟି କରିଥିବା ‘ଭସ୍ମାସୁର’ ଏବେ ତା’ ନିଜ ପାଇଁ କାଳ ସାଜିଛି । ସାମ୍ନାକୁ ଆସିଥିବା ଏକ ସଦ୍ୟତମ ତଥା ଚାଞ୍ଚଲ୍ୟକର ରିପୋର୍ଟ ଅନୁଯାୟୀ, ଦେଶରେ ଆତଙ୍କବାଦୀ ଆକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ଉପରକୁ ଉଠିବାରେ ଲାଗିଛି । ଗତ ୯ ମାସ ମଧ୍ୟରେ ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୧୦୦୦ରୁ ଅଧିକ ସୈନ୍ୟ ଏବଂ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଲାଣି । କୌଣସି ଯୁଦ୍ଧ ନଥାଇ ମଧ୍ୟ ସେନାକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ୁଥିବାରୁ, ଏହା ପାକିସ୍ତାନ ସରକାରଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର କାରଣ ପାଲଟିଛି ।
ସୂଚନା ଅନୁଯାୟୀ, ପାକିସ୍ତାନର ଖାଇବର ପାଖ୍ତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶ ଏବେ ଆତଙ୍କବାଦୀଙ୍କ ମୁଖ୍ୟ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରତିଦିନ ସେଠାରେ ସେନାର ପାଟ୍ରୋଲିଂ ଗାଡ଼ି, ଚେକ୍ପୋଷ୍ଟ ଏବଂ ପୋଲିସ ଷ୍ଟେସନ୍ ଉପରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଏବଂ ଗୁଳିମାଡ଼ କରାଯାଉଛି। ତେହେରିକ୍-ଇ-ତାଲିବାନ୍ ପାକିସ୍ତାନ ଏବଂ ବେଲୁଚ୍ ବିଚ୍ଛିନ୍ନତାବାଦୀ ଗୋଷ୍ଠୀମାନେ ପାକିସ୍ତାନୀ ସେନାକୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ୍ କ୍ଷମତାକୁ ଫେରିବା ପରେ ଟିଟିପି ଆତଙ୍କବାଦୀମାନେ ମନୋବଳ ପାଇ ଅଧିକ ସକ୍ରିୟ ତଥା ହିଂସ୍ର ହୋଇପଡ଼ିଛନ୍ତି ।





