odisha24 Live

Latest News

Latest News

ଆଜି ପବିତ୍ର ମହାଳୟା : ପିତୃପକ୍ଷର ଉଦଯାପନ, ଚାଲିଛି ପିଣ୍ଡଦାନ

ଭୁବନେଶ୍ୱର : ଆଜି ପବିତ୍ର ମହାଳୟା। ହିନ୍ଦୁ ଧର୍ମ ଏବଂ ସନାତନ ପରମ୍ପରାରେ ମହାଳୟା ଏକ ଅତ୍ୟନ୍ତ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଦିବସ। ଏହି ଦିନ ପିତୃ ପୁରୁଷଙ୍କୁ ମନେ ପକାଇ ପିଣ୍ଡଦାନ ଓ ତର୍ପଣ କରାଯିବାର ବିଧି ରହିଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ଦିନରେ ପିତୃ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରି ବିଭିନ୍ନ ତୀର୍ଥ ପୁଷ୍କରିଣୀ, ନଦୀକୂଳ ତଥା ମହୋଦଧିରେ ଶ୍ରାଦ୍ଧ ଓ ତର୍ପଣ ଦେବାର ସ୍ୱତନ୍ତ୍ର ପରମ୍ପରା ରହିଛି।

ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି ।

ଆଜିର ଏହି ପବିତ୍ର ଦିନଟି ଦେବୀ ପକ୍ଷର ଆରମ୍ଭକୁ ସୂଚାଇଥାଏ ଏବଂ ମା’ ଦୁର୍ଗାଙ୍କ ଆଗମନ କୁହାଯାଏ । ଏପଟେ ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହାସହିତ ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର ପାଠ ସହ ମା’ଙ୍କୁ ଆବାହନ କରାଯାଇଛି ।

ନଦୀ କୂଳ ବା ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ଶ୍ରାଦ୍ଧ ଦିଆଯାଏ । ମୂର୍ତ୍ତି କାରିଗରମାନେ ଆଜିର ପବିତ୍ର ଦିନରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁ ପ୍ରଦାନ କରିଥାନ୍ତି । ମହାଳୟା ଅବସରରେ କୋଲକାତା ଗଙ୍ଗାଘାଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ମଧ୍ୟରାତ୍ରିରୁ ତର୍ପଣ ପର୍ବ ଆରମ୍ଭ ହୋଇ ଯାଇଛି । ଅନ୍ୟପଟେ, ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡ଼େ ଉତ୍ସାହ ଓ ଭକ୍ତିମୟ ପରିବେଶ । ମହିଷାସୁରମର୍ଦ୍ଦିନୀର ସ୍ୱରରେ ମୁଖରିତ ହେଉଛି ବଙ୍ଗଭୂମି ।

କିନ୍ତୁ ମାତା ସତୀଙ୍କ ପ୍ରବଳ ଇଚ୍ଛା ଜାଗ୍ରତ ହେବାରୁ ଭୋଳାନାଥ ତାଙ୍କୁ ପିତାଙ୍କ ଘରକୁ ଯିବା ପାଇଁ ଅନୁମତି ଦେଲେ । ମାତା ସତୀ ଯେତେବେଳେ ଘରେ ପହଞ୍ଚିଲେ କେବଳ ମାତୃସ୍ନେହ ହିଁ ପାଇଲେ ଭଗିନୀମାନଙ୍କ ବାକ୍ୟରେ ବ୍ୟଙ୍ଗ ଏବଂ ଉପହାସ , ପିତାଙ୍କ ବାକ୍ୟରେ ଭୋଳାନାଥଙ୍କ ପ୍ରତି ଅପମାନଜନକ ଏବଂ ତିରସ୍କାର ଶବ୍ଦ ଶୁଣିବା ପରେ ମା’ଙ୍କ ମନ ଦୁଃଖ ହେଲା । ନିଜ ପରମେଶ୍ୱରଙ୍କ ଅପମାନ ସହ୍ୟ ନ କରି ପାରି ମା’ ସ୍ବୟଂର ତେଜରେ ନିଜକୁ ଭସ୍ମ କରିଦେଲେ । ଏହି ଦାରୁଣ ଦୁଃଖରେ ବ୍ୟଥିତ ହୋଇ ଦେବାଧିଦେବ ମହାଦେବ ଯଜ୍ଞସ୍ଥଳକୁ ବିଧ୍ୱଂସ କରିଦେଲେ । ମାତା ସତୀ ନୂତନ ଜନ୍ମରେ ଶୈଳରାଜ ହିମାଳୟଙ୍କ ପୁତ୍ରୀ ଶୈଳପୁତ୍ରୀ ରୁପେ ଜନ୍ମ ନେଲେ । ପାର୍ବତୀ ଏବଂ ହେମବତୀ ନାଁରେ ମଧ୍ୟ ମାତାଙ୍କ ପ୍ରସିଦ୍ଧି ରହିଛି ।

Share In Social Media
Scroll to Top