
ଯାଜପୁର : ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା। ଶକ୍ତି ଓ ଆସ୍ଥାର ଏହି ପବିତ୍ର ପୀଠରେ ରଥଯାତ୍ରାର ପରମ୍ପରା ଅନନ୍ୟ। ଦଶହରା ଅବସରରେ ମା’ଙ୍କ ସିଂହଧ୍ୱଜ ରଥ ବା ବିଜୟା ରଥକୁ ମନ୍ଦିର ବେଢ଼ା ଚାରିପଟେ ଟାଣିଥାନ୍ତି ଭକ୍ତ। ଏପଟେ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ। ୫୬ ଫୁଟ୍ର ବିଶାଳ ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି ମହାରଣା କାରିଗର। କେମିତି ଚାଲିଛି ମା’ଙ୍କ ରଥ ନିର୍ମାଣ? କ’ଣ ରହିଛି ଏହି ଅନନ୍ୟ ରଥଯାତ୍ରାର ପରମ୍ପରା? ଆସନ୍ତୁ ଯିବା ଯାଜପୁରର ବିରଜା କ୍ଷେତ୍ରକୁ।
ଯାଜପୁରର ପବିତ୍ର ବିରଜା କ୍ଷେତ୍ର… ଯେଉଁଠି ମା’ଙ୍କ ଦର୍ଶନ ପାଇଁ ବର୍ଷସାରା ଲାଗିଥାଏ ଭକ୍ତଙ୍କ ଭିଡ଼। ଆଉ ଶାରଦୀୟ ପାର୍ବଣ ଆସିଲେ ଏହି ପୀଠ ପାଲଟିଯାଏ ଭକ୍ତି ଓ ଉତ୍ସାହର ମହାମିଳନସ୍ଥଳୀ। ଏଠାକାର ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଯାଜପୁରର ପ୍ରାଚୀନ ପରମ୍ପରା ଓ ଗଭୀର ଆସ୍ଥାର ପ୍ରତୀକ। ନଅ ଦିନ ଧରି ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଉତ୍ସବର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ମା’ଙ୍କ ସିଂହଧ୍ୱଜ ରଥ ବା ବିଜୟା ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଅପୂର୍ବ ଉତ୍ସାହ। କେହି ମା’ଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ତ କେହି ରଥ ଦଉଡ଼ି ଧରିବାର ସୌଭାଗ୍ୟ ଲାଭ କରିବାକୁ ଚାହିଁ ବସିଛନ୍ତି।
ଏପଟେ ଦିନ ଯେତିକି ଗଡ଼ୁଛି, ରଥଖଳାରେ ବଢ଼ୁଛି କାରିଗରଙ୍କ ବ୍ୟସ୍ତତା। ମା’ଙ୍କ ବିଜୟା ରଥକୁ ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ କରିବାକୁ ଦିନରାତି ଏକ କରିଦେଇଛନ୍ତି ମହାରଣା କାରିଗର। ଶୁଭ ସୁନିଆଁରେ ବିଲ୍ୱବରଣ ପରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ। ପ୍ରାୟ ୮୯୮ ଖଣ୍ଡ କାଠରେ ନିର୍ମିତ ହେଉଛି ଏହି ବିଶାଳ ରଥ। ୧୨ଟି ଚକ ବିଶିଷ୍ଟ ରଥର ଉଚ୍ଚତା ପ୍ରାୟ ୫୬ ଫୁଟ୍। ରଥରେ ରହିଛନ୍ତି ନବଗ୍ରହ ଓ ଦଶଦିଗପାଳ। ପରମ୍ପରା ଅନୁସାରେ ସ୍ୱୟଂ ବ୍ରହ୍ମା ରଥର ସାରଥୀ ଭାବେ ବିବେଚିତ ହୁଅନ୍ତି। ଏହି ସବୁ ବିଶେଷତ୍ୱ ମା’ ବିରଜାଙ୍କ ରଥଯାତ୍ରାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। କାଠର ପ୍ରତିଟି ଖଣ୍ଡରେ କାରିଗରଙ୍କ ପରିଶ୍ରମ… ରଥର ପ୍ରତିଟି ଅଂଶରେ ପରମ୍ପରାର ଛାପ… ଆଉ ମା’ଙ୍କ ରଥ ପ୍ରସ୍ତୁତ ହେବା ସହ ଭକ୍ତଙ୍କ ଉତ୍କଣ୍ଠା ମଧ୍ୟ ବଢ଼ିବାରେ ଲାଗିଛି।
ମା’ଙ୍କ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଶ୍ରଦ୍ଧାଳୁଙ୍କ ସୁବିଧା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଉପରେ ରହିଛି ଗୁରୁତ୍ୱ। ଏବେ କେବଳ ଅପେକ୍ଷା ସେହି ପବିତ୍ର ମୁହୂର୍ତ୍ତକୁ… ଯେତେବେଳେ ମା’ ବିରଜାଙ୍କ ବିଜୟା ରଥକୁ ଟାଣିବେ ଶ୍ରଦ୍ଧାଳୁ, ଆଉ ଜୟ ମା’ ବିରଜା ଧ୍ୱନିରେ ଗୁଞ୍ଜରିତ ହେବ ସମଗ୍ର ବିରଜା କ୍ଷେତ୍ର। ଆସ୍ଥାର ରଥ ଗଡ଼ିବ… ପରମ୍ପରାର ଧ୍ୱଜା ଉଡ଼ିବ… ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ଏକାଠି ହେବେ ହଜାର ହଜାର ଭକ୍ତ।





