
ଭୁବନେଶ୍ୱର : ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଡିଜିପି ଚୟନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଡିଜିପି ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ। ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଶୀର୍ଷ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ସ୍ଥାୟୀ ଡିଜିପି ନିଯୁକ୍ତି ପାଇଁ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନୂଆ ଆଦେଶ ପରେ ଏହି ପ୍ରକ୍ରିୟା ସାମୟିକ ଭାବେ ଅଟକି ଯାଇଛି। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାର ସମ୍ଭାବନା ରହିଛି। ଏହି ଶୁଣାଣି ପରେ ଡିଜିପି ନିଯୁକ୍ତି ପ୍ରକ୍ରିୟା ନେଇ ପରବର୍ତ୍ତୀ ଦିଗ ସ୍ପଷ୍ଟ ହେବ। ଫଳରେ ଓଡ଼ିଶାକୁ ସ୍ଥାୟୀ ଡିଜିପି କେବେ ମିଳିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

