
ଟୋକିଓ : ବାତ୍ୟା (ଟାଇଫୁନ୍) ‘ଡଲଫିନ’ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇ ବର୍ତ୍ତମାନ ଏସିଆ ମହାଦେଶର ପୂର୍ବ ଉପକୂଳ ଆଡ଼କୁ ମାଡ଼ି ଚାଲିଛି । ଏହି ଶକ୍ତିଶାଳୀ ବାତ୍ୟାଟି ଜାପାନର ଓକିନାୱା ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ଚୀନର ପୂର୍ବ ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିମି ପ୍ରତି ଘଣ୍ଟା ଛୁଇଁବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ,ଜୁଲାଇ ୨୬ରେ ସୃଷ୍ଟି ହୋଇଥିବା ଡଲଫିନ୍ ଓକିନାୱା ଅତିକ୍ରମ କରି ପୂର୍ବ ଚୀନ୍ ସାଗରରେ ପହଞ୍ଚିଛି। ୫ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ଏବେ ଏହା ଚୀନ୍ ଉପକୂଳ ଆଡ଼କୁ ମୁହାଁଇଛି। ବର୍ତ୍ତମାନ ୱେନ୍ ଝୋଉଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବରେ ରହିଥିବା ଏହି ଟାଇଫୁନ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ପ୍ରାୟ ୧୭ କିମି ବେଗରେ ଗତି କରୁଛି।
ସମୁଦ୍ରରେ ଡଲଫିନ୍ର ସ୍ଥାୟୀ ପବନ ବେଗ ପ୍ରାୟ ୧୭୦ କିମି ପ୍ରତି ଘଣ୍ଟା ଥିବାବେଳେ ଝଟକା ପବନର ବେଗ ୨୦୫ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚୁଛି lଟାଇଫୁନ୍ ପ୍ରଭାବରେ ଚୀନ୍ର ୱେନ୍ ଝୋଉ ସମେତ ଉତ୍ତର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୧୫୦ରୁ ୩୫୦ ମିମି ବର୍ଷା ହେବା ସହ ଅତ୍ୟଧିକ ପ୍ରଭାବିତ ଅଞ୍ଚଳରେ ବର୍ଷା ପରିମାଣ ୪୫୦ ମିମିରୁ ଅଧିକ ହୋଇପାରେ।
ଏଥିସହ ସମୁଦ୍ରରେ ୪ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି। ଫଳରେ ଉପକୂଳ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ବିପଦ ବଢ଼ିପାରେ। ବିପଦକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ବନ୍ଦରଗୁଡ଼ିକରେ ରେଡ୍ ସିଗନାଲ ଜାରି କରାଯିବା ସହ ସାମୁଦ୍ରିକ ପରିବହନକୁ ମଧ୍ୟ ସ୍ଥଗିତ ରଖାଯାଇଛି।ଡଲଫିନ୍ର ପ୍ରଭାବ ଜାପାନର ର୍ୟୁକ୍ୟୁ ଦ୍ୱୀପପୁଞ୍ଜରେ ମଧ୍ୟ ପଡ଼ିବ। ଏଠାରେ ଆଗାମୀ କିଛି ଦିନ ପ୍ରବଳ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଥିବାରୁ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କତା ଜାରି ରହିଛି।

