
ବର୍ଷା ଦିନେ ରାତିସାରା କୁଲର ଚଲାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବର୍ଷା ଋତୁରେ ପବନରେ ଆର୍ଦ୍ରତା ଅଧିକ ଥାଏ। କୁଲର ଏହି ଆର୍ଦ୍ରତାକୁ ଆହୁରି ବଢ଼ାଇ ଦିଏ, ଯାହା ଶରୀର ଓ ଘରର ପରିବେଶକୁ ଅସ୍ୱାସ୍ଥ୍ୟକର କରିଥାଏ। ଥଣ୍ଡା ପବନ ଯୋଗୁଁ ଗଣ୍ଠି ଯନ୍ତ୍ରଣା ବଢ଼ିପାରେ। ଏହାଛଡ଼ା କୁଲରର ପବନ ଯୋଗୁଁ ତ୍ୱଚା ଶୁଷ୍କ ହୋଇ ଖୁଜଲି ଓ ଜ୍ୱଳନ ଭଳି ସମସ୍ୟା ହୋଇପାରେ।
ଅନ୍ୟପଟେ, ବର୍ଷା ଋତୁରେ ମଶାଙ୍କ ପ୍ରକୋପ ମଧ୍ୟ ବଢ଼ିଯାଏ। ଏହି ସମୟରେ କୁଲରକୁ ଠିକ୍ ଭାବେ ସଫା ନକରି ଏଥିରେ ପାଣି ଭରି ବ୍ୟବହାର କଲେ ଘର ଭିତରକୁ ମଶା ଆସିବାର ସମସ୍ୟା ବଢ଼ିପାରେ।ଫଳରେ ମଶାଜନିତ ରୋଗର ଆଶଙ୍କା ମଧ୍ୟ ବଢ଼ିପାରେ। ଏହା ସହିତ, ଅଧିକ ଆର୍ଦ୍ରତା ଥିବା ପାଗରେ ପାଣି ଭରି କୁଲର ଚଲାଇଲେ ଶରୀରରେ ଚିପଚିପା ଅନୁଭବ ଏବଂ ତ୍ୱଚାରେ ଆଲର୍ଜି ଭଳି ସମସ୍ୟା ଦେଖାଦେଇପାରେ। ଏହାଛଡ଼ା କୁଲରର ପବନ ସିଧାସଳଖ ମୁହଁ, ମୁଣ୍ଡ କିମ୍ବା ଛାତି ଉପରେ ପଡ଼ିବାକୁ ଦିଅନ୍ତୁ ନାହିଁ। କୁଲର ଚାଲୁଥିବା ସମୟରେ ଘରର ଗୋଟିଏ ଝରକା କିମ୍ବା କବାଟକୁ ସାମାନ୍ୟ ଖୋଲା ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଘର ଭିତରେ ପବନ ଠିକ୍ ଭାବରେ ଚଳାଚଳ କରିପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୁଲରକୁ ନିୟମିତ ଭାବେ ସଫା କରନ୍ତୁ। କୁଲରରେ ଦୀର୍ଘ ସମୟ ଧରି ପାଣି ଜମା ହୋଇ ରହିବାକୁ ଦିଅନ୍ତୁ ନାହିଁ, କାରଣ ଏହାଦ୍ୱାରା ମଶାଙ୍କ ପ୍ରକୋପ ବଢ଼ିପାରେ।





