
ଭୁବନେଶ୍ୱର : ଗାଁଠାରୁ ଆରମ୍ଭ କରି ସହର ପାଳୁଛି ୮୦ତମ ସ୍ବାଧୀନତା ଦିବସ । ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ । ଆମ ଦେଶର ପ୍ରତ୍ୟେକ ନାଗରିକ ମହାନ୍ ଭାରତୀୟ ମୌଳିକ ମୂଲ୍ୟବୋଧର ଆଦର୍ଶରେ ଅନୁପ୍ରାଣିତ । ସେହି ମୂଲ୍ୟବୋଧ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଚାଲିଛି । ରାଜ୍ୟର ସମୃଦ୍ଧି ଓ ଦେଶର ବିକାଶ ଆମ ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି । ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି । ୩୦ରୁ ଊର୍ଦ୍ଧ୍ଵ ପ୍ଲାଟୁନ୍ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି ।





