
ଜିମ୍ବାୱେ : ଜିମ୍ବାୱେରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିମ୍ବାୱେର ଉତ୍ତରରେ ଥିବା କରିବା ସହରରୁ ଝିଲ୍ ମଧ୍ୟରେ ଥିବା ବିଭିନ୍ନ ଦ୍ୱୀପକୁ ଯାତାୟାତ ପାଇଁ ନୌକା ବ୍ୟବହାର କରାଯାଏ। ବିଶେଷକରି ମାଛ ଧରିବା ପାଇଁ ଲୋକମାନେ ଏହି ନୌକାରେ ଯାତାୟାତ କରନ୍ତି।ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା ଖାଇବା ପରେ ଓଲଟି ପଡ଼ିଛି।ଅପରପକ୍ଷରେ ୯୦ କ୍ଷମତା ବିଶିଷ୍ଟ ଫେରୀରେ ୧୧୪ ଯାତ୍ରୀ ଯାତ୍ରା କରୁଥିଲେ ବୋଲି କୁହାଯାଉଛି। ତେବେ ୭୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୭ ଜଣ ନିଖୋଜ ରହିଛନ୍ତି। ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି। କରିବା ହ୍ରଦ ଜିମ୍ବାୱେର ଜାମ୍ବିଆ ସୀମାରେ ଅବସ୍ଥିତ। ଏହା ରାଜଧାନୀ ହରାରେରୁ ୩୦୦ କିଲୋମିଟର (୧୮୫ ମାଇଲ) ରୁ ଅଧିକ ଉତ୍ତର-ପୂର୍ବରେ ରହିଛି। ଏହା ଆୟତନ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ମାନବ ନିର୍ମିତ ହ୍ରଦ।

