
ବାଲେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ଉତ୍ତର ଓଡିଶାରେ ବଢିଛି ଚିନ୍ତା । ବର୍ଷାରେ ବୁଡ଼ିଲା ବାଲେଶ୍ବର । ସହରର ନୂଆସାହି ଛକରେ ଲହଡି ମାରୁଛି ପାଣି । ଫଳରେ ବାଲେଶ୍ଵର ସହରରୁ ରେମୁଣାକୁ ଯାତାୟତ ପ୍ରଭାବିତ ହୋଇଛି। ରାସ୍ତା ଉପରେ ଅଣ୍ଟାଏ ପାଣି ଜମିଛି । ସ୍ଥାନୀୟ ଅଞ୍ଚଳରେ ଜଳନିଷ୍କାସନ ହୋଇପାରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି । ରାସ୍ତା ଉପରେ ଡ୍ରେନ୍ ପାଣି ଜମିଥିବାରୁ ବ୍ୟବସାୟୀଙ୍କ ଦୋକାନରେ ମଧ୍ୟ ପାଣି ପଶିଛି । ଏହା ସହ ବାରମ୍ବାର ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଲୋକଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ବର୍ଷା ଆସିଲେ ଜଳ ନିଷ୍କାସନକୁ ନେଇ ଆଲୋଚନା ହୁଏ । ଅସ୍ଥାୟୀ ଭାବେ ପାଣି ନିଷ୍କାସନ କରାଯାଏ, ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ତେଣୁ ଏବେ ସହରବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ—କେବେ ହେବ ବାଲେଶ୍ୱରର ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା? ଲଗାଣ ବର୍ଷାରେ ବାଲେଶ୍ୱରର ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ସ୍ଥାୟୀ ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏବେ ପ୍ରଶାସନର ଠୋସ୍ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ସହରବାସୀ ।

