odisha24 Live

Latest News

Latest News

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ବ୍ୟବସ୍ଥା ଘନୀଭୂତ ହେବାକୁ ଯାଉଛି । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାଲି ସୁଦୃଶ୍ୟ ଲଘୁଚାପ ଏବଂ ୧୫ ନଭେମ୍ବର ବେଳକୁ ଅବପାତରେ ପରିଣତ ହୋଇପାରେ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ସୁଦ୍ଧା କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଉପରେ ସକ୍ରିୟ ରହିଥିଲା। ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଛି । ସବୁଠାରୁ ବଡ଼ ପ୍ରଶ୍ନ, ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ? ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆସନ୍ତା କିଛି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ନଭେମ୍ବର ୧୯ ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ଦର୍ଶାଯାଇନାହିଁ । ଲଘୁଚାପ ଘନୀଭୂତ ହେଲେ ମଧ୍ୟ ରାଜ୍ୟ ଉପରେ ତତ୍କାଳ କୌଣସି ବଡ଼ ପ୍ରଭାବ ଆଶଙ୍କା କରାଯାଉନାହିଁ । ଏହି ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ହେବା ଆଶଙ୍କାରେ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ନଭେମ୍ବର ୧୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ନଯିବା ପାଇଁ ସତର୍କ କରାଯାଇଛି। ଏପଟେ ଓଡ଼ିଶାରେ ଶୀତର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି । ଗୁରୁବାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଜି. ଉଦୟଗିରିରେ ୧୨.୫ ଏବଂ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ରହିଥିଲା। ବାତ୍ୟା ଅର୍ଣ୍ଣବ ଓ ମୁରାସୁ ପରେ ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ବ୍ୟବସ୍ଥାର ସମ୍ଭାବନା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ନଜର ରଖିବାର ବିଷୟ ହୋଇଛି । ତେବେ ଏବେ ଓଡ଼ିଶା ପାଇଁ ବଡ଼ ବିପଦର ସୂଚନା ନଥିବା ବେଳେ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ବ୍ୟବସ୍ଥାର ତୀବ୍ରତା ଓ ଗତିପଥ ଉପରେ ନଜର ରହିବ ।

Share In Social Media
Scroll to Top