odisha24 Live

Latest News

Latest News

ସାଉଦିରେ ବିମାନ ଚଳାଚଳ ବନ୍ଦ

ୟୁଏଇ : ସାଉଦି ଆରବରେ ବିଗୁଡ଼ୁଥିବା ସୁରକ୍ଷା ସ୍ଥିତିର ପ୍ରଭାବ ଏବେ ବିମାନ ଯାତ୍ରା ଉପରେ ପଡ଼ିଛି । ଭାରତରୁ ସାଉଦି ଆରବ ଯାଉଥିବା ଏବଂ ଭାରତ ଫେରୁଥିବା ଯାତ୍ରୀଙ୍କ ପାଇଁ ସମସ୍ୟା ବଢ଼ିପାରେ । ଏବେ ଅନେକ ବିମାନ କମ୍ପାନୀ ସେମାନଙ୍କର ବିମାନ ଚଳାଚଳ ବାତିଲ ଅବଧିକୁ ବଢାଇ ଦେଇଛନ୍ତି । ଇଣ୍ଡିଗୋ ରିୟାଦ, ଜେଦ୍ଦା, ଦାମ୍ମାମ ଓ ମଦିନାକୁ ଯାଉଥିବା ବିମାନଗୁଡ଼ିକୁ ୨୦୨୬ ଅକ୍ଟୋବର ୨୪ ତାରିଖ ଯାଏଁ ବାତିଲ କରିଛି । ସେହିପରି ଏୟାର ଇଣ୍ଡିଆ ରିୟାଦ, ଦାମ୍ମାମ ଓ ଜେଦ୍ଦାକୁ ଯାଉଥିବା ଏବଂ ସେଠାରୁ ଫେରୁଥିବା ବିମାନଗୁଡ଼ିକୁ ଅକ୍ଟୋବର ୨୦ ତାରିଖ ଯାଏଁ ବାତିଲ ରଖିବାକୁ ନିଷ୍ପତ୍ତି ନେଇଛି ।

ଇଣ୍ଡିଗୋ ଏକ୍ସରେ ସୂଚନା ଦେଇଥିବା ସୂଚନା ମୁତାବକ, ସାଉଦି ଆରବର ପରିବର୍ତ୍ତିତ ସ୍ଥିତିର ସମୀକ୍ଷା ପରେ ଅକ୍ଟୋବର ୨୪ ଯାଏଁ ସମ୍ପୃକ୍ତ ବିମାନଗୁଡ଼ିକର ଉଡ଼ାଣ ବାତିଲ ରଖିବାକୁ ନିଷ୍ପତ୍ତି ହୋଇଛି । ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ବୁକିଂ ସମୟରେ ଦିଆଯାଇଥିବା ଯୋଗାଯୋଗ ମାଧ୍ୟମରେ ସୂଚନା ପଠାଯାଉଛି । ଆକାସା ଏୟାର ମଧ୍ୟ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ରିୟାଦକୁ ଯାଉଥିବା ଓ ସେଠାରୁ ଫେରୁଥିବା ବିମାନର ଉଡ଼ାଣ ସ୍ଥଗିତ ଅବଧିକୁ ଅକ୍ଟୋବର ୨୪ ଯାଏଁ ବଢ଼ାଇଛି । ଜେଦ୍ଦାକୁ ଯାଉଥିବା ବିମାନର ଉଡ଼ାଣ ଅକ୍ଟୋବର ୨୧ ଯାଏଁ ବାତିଲ କରିଛି ।

ଏୟାର ଇଣ୍ଡିଆ ମୁତାବକ, ସାଉଦି ଆରବର ବଦଳୁଥିବା ସ୍ଥିତି ଯୋଗୁଁ ରିୟାଦ, ଦାମ୍ମାମ ଓ ଜେଦ୍ଦାକୁ ଯାଉଥିବା ବିମାନଗୁଡ଼ିକ ଅକ୍ଟୋବର ୨୦ ଯାଏଁ ବାତିଲ ରହିବ । ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସୁରକ୍ଷା କମ୍ପାନୀର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ବିମାନ ବାତିଲ ଯୋଗୁଁ ପ୍ରଭାବିତ ଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ଓ ଆକାସା ଏୟାର ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି । ଆକାସା ଏୟାର ଅନୁଯାୟୀ, ଯାତ୍ରୀମାନେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇପାରିବେ । ଏହା ବ୍ୟତୀତ ଯାତ୍ରୀମାନେ କୌଣସି ଅତିରିକ୍ତ ଶୁଳ୍କ ନଦେଇ ନିଜ ଯାତ୍ରା ତାରିଖ ବଦଳାଇ ପାରିବେ । ଏୟାର ଇଣ୍ଡିଆ ମଧ୍ୟ ପ୍ରଭାବିତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ଦେବା ନେଇ କହିଛି ।

ସାଉଦି ଆରବରେ ସାମ୍ପ୍ରତିକ ଆକ୍ରମଣ ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ରିୟାଦ ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

Share In Social Media
Scroll to Top