
ଶାରଦୀୟ ନବରାତ୍ରିର ପଞ୍ଚମ ଦିନରେ ମା’ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ “ମା’ ସ୍କନ୍ଦମାତା”ଙ୍କୁ ପୂଜା କରାଯାଏ । ମା’ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା’ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମା’ ପଦ୍ମ ଆସନରେ ବିରାଜମାନ କରିଥାନ୍ତି, ତେଣୁ ତାଙ୍କୁ ପଦ୍ମାସନା ଦେବୀ ମଧ୍ୟ କୁହାଯାଏ । ମା’ଙ୍କର ବାହନ ହେଉଛି ସିଂହ । ମାନ୍ୟତା ରହିଛି ଯେ ବିଧିବିଧାନର ମା’ଙ୍କର ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ ଏବଂ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତ ହୋଇଥାଏ ।
ମା’ ସ୍କନ୍ଦମାତାଙ୍କ ପୌରାଣିକ କାହାଣୀ
ପୌରାଣିକ ମାନ୍ୟତା ଅନୁଯାୟୀ, ତାରକାସୁର ନାମକ ଏକ ଶକ୍ତିଶାଳୀ ରାକ୍ଷସ ଥିଲା । ସେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ପ୍ରସନ୍ନ କରିଥିଲା ଏବଂ ଅମରତ୍ୱର ବରଦାନ ମାଗିଥିଲା । ମାତ୍ର ବ୍ରହ୍ମା କହିଲେ କି ସୃଷ୍ଟିରେ ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଏହାପରେ ତାରକାସୁର ଚତୁରତାର ସହ ବର ମାଗିଲା ଯେ, ତା’ର ମୃତ୍ୟୁ କେବଳ ଭଗବାନ ଶିବଙ୍କ ପୁତ୍ର ଦ୍ୱାରା ହିଁ ସମ୍ଭବ ହେବ । ସେ ଭାବିଥିଲା ଭଗବାନ ଶିବ ତ ଯୋଗୀ, ସେ କେବେ ବିବାହ କରିବେ ନାହିଁ କି ସନ୍ତାନ ହେବେ ନାହିଁ, ତେଣୁ ସେ ଅମର ହୋଇ ରହିବ ।
ବର ପାଇବା ପରେ ତାରକାସୁର ତିନି ଭୁବନରେ ଅତ୍ୟାଚାର ଆରମ୍ଭ କଲା ଏବଂ ଦେବତାମାନଙ୍କୁ ସ୍ୱର୍ଗରୁ ତଡ଼ି ଦେଲା । ସମସ୍ତ ଦେବତା ଭୟଭୀତ ହୋଇ ଭଗବାନ ଶିବଙ୍କ ଶରଣ ପଶିଲେ । ଏହାପରେ ମାତା ପାର୍ବତୀ ଓ ଶିବଙ୍କ ତେଜରୁ କୁମାର କାର୍ତ୍ତିକେୟ (ସ୍କନ୍ଦ) ଜନ୍ମ ଗ୍ରହଣ କଲେ. ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ତାଙ୍କୁ ଯୁଦ୍ଧ କ୍ଷେତ୍ରକୁ ନେବା ପାଇଁ ମାତା ପାର୍ବତୀ ସ୍କନ୍ଦମାତା ରୂପ ଧାରଣ କରିଥିଲେ । ମା’ଙ୍କ ଆଶୀର୍ବାଦ ଓ ପ୍ରେରଣାରେ ବାଳକ ସ୍କନ୍ଦ ଯୁଦ୍ଧରେ ମହାଶକ୍ତିଶାଳୀ ତାରକାସୁରର ବଧ କରିଥିଲେ ଏବଂ ଦେବତାମାନଙ୍କୁ ତାଙ୍କର ସ୍ୱର୍ଗ ଫେରାଇ ଦେଇଥିଲେ ।
ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।
ମା’ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ସ୍କନ୍ଦମାତାଙ୍କୁ ମଧ୍ୟ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ମା ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ମା’ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ବ ସୌଭାଗ୍ୟ ପ୍ରଦାନ କରିଥାଏ।





