
ଓ୍ବାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ବଦଳିଲା ଏଆଇର ନାଁ । ଏଆଇ ଏବେ ‘ସୁପର ଇଣ୍ଟେଲିଜେନ୍ସ’ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଏଣିକି ଆମେରିକାର ସରକାରୀ ଦଲିଲରେ ‘ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ’ ବଦଳରେ ‘ସୁପର୍ ଇଣ୍ଟେଲିଜେନ୍ସ’ ବା ଏସଆଇ ଶବ୍ଦ ବ୍ୟବହାର କରାଯିବ । ତାଙ୍କ ମତରେ ‘ଆର୍ଟିଫିସିଆଲ’ ଶବ୍ଦଟି ଏହି ପ୍ରଯୁକ୍ତିକୁ ନକଲି ବୋଲି ଦର୍ଶାଉଥିବା ଭଳି ଲାଗୁଛି, ଯେତେବେଳେ ଏହା ବାସ୍ତବ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଯୁକ୍ତି। ଜାତିସଂଘ ସାଧାରଣ ସଭା ସମୟରେ ଟ୍ରମ୍ପ ଏହି ନାମ ପରିବର୍ତ୍ତନର କଥା କହିଥିଲେ । ସେ କହିଥିଲେ, ଆମେରିକା ଏଆଇ କ୍ଷେତ୍ରରେ ଚୀନ୍ଠାରୁ ଆଗରେ ରହିବାକୁ ଚାହୁଁଛି ।
ତାଙ୍କ ଅନୁସାରେ, ଏଆଇ ଦୌଡ଼ରେ ଯେଉଁ ଦେଶ ଆଗରେ ରହିବ, ତାହାର ଅର୍ଥନୀତି ଓ ପ୍ରଯୁକ୍ତିକ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିପାରେ। ଟ୍ରମ୍ପ ଏଆଇବିକାଶକୁ ଅଧିକ ନିୟମରେ ବାନ୍ଧିବା ନେଇ ମଧ୍ୟ ସତର୍କ ମନୋଭାବ ପ୍ରକାଶ କରିଛନ୍ତି । ତାଙ୍କ ଯୁକ୍ତି ହେଉଛି, ଅତ୍ୟଧିକ ନିୟନ୍ତ୍ରଣ ଦ୍ୱାରା ଆମେରିକାର ଏଆଇ ବିକାଶ ଧୀର ହୋଇଗଲେ ଚୀନ୍ ଆଗକୁ ବଢ଼ିପାରେ । ତେଣୁ ସେ ଆମେରିକାର ଏଆଇ ଶିଳ୍ପକୁ ବିକାଶ ଜାରି ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପ୍ରସଙ୍ଗରେ ଆମେରିକା-ଚୀନ୍ ଏଆଇ ପ୍ରତିଯୋଗିତା ଆହୁରି ଗୁରୁତ୍ୱ ପାଇଛି । ସେପ୍ଟେମ୍ବରରେ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଲୋଚନାରେ ମଧ୍ୟ ଏଆଇ ଏକ ପ୍ରମୁଖ ବିଷୟ ଥିଲା । ଦୁଇ ଦେଶ ପରେ ଏଆଇର ବିପଦ ଓ ସମ୍ଭାବନା ନେଇ ଆଲୋଚନା ପାଇଁ ‘U.S.-China Super Intelligence Dialogue’ ଗଠନ କରିବାକୁ ସହମତ ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।





