
ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢୁଥିବାର ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହୃଦୟ ଫେଡେରେସନ୍ ମିଳିତ ଭାବେ ବିଶ୍ୱ ହୃଦୟ ଦିବସର କଳ୍ପନା କରିଥିଲେ । ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ୱାର୍ଲଡ ହାର୍ଟ ଫେଡେରେଶନର ସଭାପତି ଏଣ୍ଟୋନି ବେୟସ୍ ଡି ଲୁନା ଏହି ଦିବସକୁ ନେଇ ବିଚାର କରିଥିଲେ । ୨୪ ସେପ୍ଟେମ୍ବର ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ଏହି ଦିନକୁ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଇଥିଲା । ସେହି ସମୟରେ ଏହି ଦିନକୁ ସେପ୍ଟେମ୍ବରର ଶେଷ ରବିବାରରେ ପାଳନ କରାଯାଇଥିଲା । ହେଲେ ୨୦୧୪ରେ ଏଥିରେ ପରିବର୍ତ୍ତନ ଅଣାଯାଇ ସେପ୍ଟେମ୍ବର ୨୯ ତାରିଖ ଦିନକୁ ‘ବିଶ୍ୱ ହୃଦୟ ଦିବସ’ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା ।
ଦୀର୍ଘ ସମୟ ଧରି ଏସବୁ ଉପରେ ନଜର ନଦେଲେ ହୃଦୟ ଉପରେ ଏହାର ପ୍ରଭାବ ପଡ଼ିପାରେ । ହୃଦୟକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ କିଛି ସରଳ ପରିବର୍ତ୍ତନ ଜରୁରୀ । ନିୟମିତ ଶାରୀରିକ ବ୍ୟାୟାମ ଓ ଚାଲିବା, ସନ୍ତୁଳିତ ଖାଦ୍ୟ ଖାଇବା, ଲୁଣ ଓ ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ କମାଇବା, ଓଜନ ନିୟନ୍ତ୍ରଣରେ ରଖିବା ଏବଂ ଧୂମପାନରୁ ଦୂରେଇ ରହିବା ହୃଦୟ ପାଇଁ ଲାଭଦାୟକ ।
ଏହା ସହ ପର୍ଯ୍ୟାପ୍ତ ନିଦ ଓ ମାନସିକ ଚାପକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କେବଳ ଜୀବନଶୈଳୀ ନୁହେଁ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରୀ । ବିଶେଷକରି ରକ୍ତଚାପ, ବ୍ଲଡ୍ ସୁଗାର ଓ କୋଲେଷ୍ଟ୍ରଲ୍ ସ୍ତର ଉପରେ ନଜର ରଖିବା ଆବଶ୍ୟକ । ହୃଦରୋଗର ବିପଦ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଯାଞ୍ଚ କରାଇବା ଉଚିତ । ହାର୍ଟ ଆଟାକ୍ ର ସତର୍କ ସଙ୍କେତକୁ ଚିହ୍ନିବା ମଧ୍ୟ ସମାନ ଭାବେ ଜରୁରୀ ।
ଛାତିରେ ହଠାତ୍ ଯନ୍ତ୍ରଣା, ଚାପ କିମ୍ବା ଭାରି ଲାଗିବା, ନିଶ୍ୱାସ ନେବାରେ କଷ୍ଟ, ଅସ୍ୱାଭାବିକ ଝାଳ, ବାନ୍ତି ଭାବ କିମ୍ବା ଶରୀରର ଉପର ଭାଗରେ ଅସ୍ୱସ୍ଥତା ଭଳି ଲକ୍ଷଣ ଦେଖାଦେଲେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଚିକିତ୍ସା ସହାୟତା ନେବା ଜରୁରୀ ।





