
ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସମୁଦ୍ରରେ ରୁଷୀୟ ଜାହାଜକୁ ନେଇ ତେଜିଲା ବିବାଦ। ରୁଷର ବେସାମରିକ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହାକୁ ସେ ଆତଙ୍କବାଦ ଦର୍ଶାଇଛନ୍ତି। ଏହାଦ୍ଵାରା ୟୁକ୍ରେନ ଯୁଦ୍ଧ ଶେଷ ହେବନାହିଁ ବୋଲି କହିଛନ୍ତି। ନରୱେ ଦ୍ୱାରା ରୁଷ ରିସର୍ଚ୍ଚ ଜାହାଜ ‘ପ୍ରଫେସର ମୋଲଚାନୋଭ’କୁ କବଜାକୁ ନିଆଯିବା ଘଟଣାରେ ପୁଟିନ ଏହି ଟିପ୍ପଣୀ ଦେଇଛନ୍ତି। ଏହି ଜାହାଜକୁ କବ୍ଜାକୁ ନିଆଯିବା ପଛରେ ୟୁକ୍ରେନର ହାତ ରହିଛି ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ୟୁକ୍ରେନର ସରକାରୀ କମ୍ପାନି ନାଫଟୋଗାଜ ପକ୍ଷରୁ କୁହାଯିବା ପରେ ହିଁ ନରୱେ ପ୍ରଶାସନ ଜାହାଜଟିକୁ ଜବତ କରିଥିଲା। ଏହି ସମୟରେ ଜାହାଜ ‘ପ୍ରଫେସର ମୋଲଚାନୋଭ ୱାଲବାର୍ଡ ସ୍ଥିତ ବାରେଣ୍ଟସବର୍ଗ ଅଞ୍ଚଳରେ ଅଟକି ରହିଥିଲା। ଏହା ରୁଷ ସରକାରୀ ଗବେଷଣା ଜାହାଜ। ଏଥିରେ ବୈଜ୍ଞାନିକ ଏବଂ ଗବେଷଣା କାର୍ଯ୍ୟକ୍ରମ ସହ ଜଡ଼ିତ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ଓ ପର୍ଯ୍ୟଟକ ଯାତ୍ରା କରିଥାନ୍ତି। ଏହା ସ୍କାଲବାର୍ଡର ରୁଷୀୟ ବସ୍ତିଗୁଡ଼ିକ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ବି ପହଞ୍ଚାଇଥାଏ।
କୌଣସି ସାମୁଦ୍ରିକ କଟକଣାର ଉଲଂଘନ ଅଭିଯୋଗରେ ଏହି ଜାହାଜକୁ ନରୱେ କବଜା କରିନାହିଁ । ବରଂ ଏକ ପୁରୁଣା କ୍ଷତିପୂରଣ ମାମଲାରେ ଜବତ କରିଛି। ୨୦୧୪ରେ ରୁଷ କ୍ରିମିଆକୁ କବଜା କରିବା ପରେ ସେଠାରେ ନାଫଟୋଗାଜର ସମ୍ପତ୍ତିଗୁଡ଼ିକୁ ବି ନିୟନ୍ତ୍ରଣକୁ ଆଣିଥିଲା । ଏହାପରେ ନାଫଟୋଗାଜ ରୁଷଠାରୁ କ୍ଷତିପୂରଣ ମାଗିଥିଲା। ୨୦୨୩ରେ ଏକ ଅନ୍ତର୍ଜାତୀୟ ଅଦାଲତ ନାଫଟୋଗାଜକୁ ପ୍ରାୟ ୪.୨୨ ବିଲିୟନ ଡଲାର ଦେବାକୁ ରୁଷକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ରୁଷ୍ ଅଦ୍ୟାବଧି ଏହି କ୍ଷତିପୂରଣ ପ୍ରଦାନ କରିନାହିଁ ।





