odisha24 Live

Latest News

Latest News

ନେପାଳରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା, ବଢୁଛି ଚିନ୍ତା

ନେପାଳ : ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ରବିବାର ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮୮ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ପ୍ରାୟ ୨,୫୦୨ ଜଣ ନିଖୋଜ ରହିଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ମଧ୍ୟ ପ୍ରଭାବିତ ୮ଟି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜାରି ରହିଛି । ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୟାବହ ବନ୍ୟା ସିନା ଛାଡ଼ି ଯାଇଛି, ହେଲେ ଅନେକ ଘରକୁ ଶ୍ରୀହୀନ କରିଯାଇଛି। ଅଧିକାଂଶ ଅଞ୍ଚଳକୁ ସୁରକ୍ଷାବାହିନୀ ପହଞ୍ଚି ପାରି ନ ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତ୍ୟୁସଂଖ୍ୟା ବଢୁଥିବାବେଳେ ମୃତଦେହ ଚିହ୍ନଟ ନ ହେବା ସବୁଠୁ ବଡ଼ ସମସ୍ୟା ପାଲଟି ଯାଇଛି । ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ମୃତଦେହ ରଖାଯାଇଥିବା ଘର ଆଗରେ ଲୋକେ ଭିଡ଼ ଜମାଇଛନ୍ତି । ଏହା ସତ୍ତ୍ବେ ବି ଅଧିକାଂଶ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏହା ସରକାରଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି । ମୃତଦେହ ରଖିବାକୁ ସ୍ଥାନାଭାବ ହୋଇଥିବାରୁ ସରକାର ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରିଛନ୍ତି । ଏଭଳି ସ୍ଥିତିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ମୃତକଙ୍କ ଡିଏନ ଏସଂରକ୍ଷିତ ରଖିବା ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ସରକାର କହିଛନ୍ତି ।

Share In Social Media
Scroll to Top