
କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତଳକୋର୍ଟରେ ସୌରିନଙ୍କୁ ହାଜର କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍ଡିଜେଏମ୍ କୋର୍ଟ ୨୦୨୩ ମସିହା ନଭେମ୍ବର ୨୩ରେ ସୌରିନ୍ ଭଟ୍ଟଙ୍କ ବିରୋଧରେ ଏନ୍ବିଡବ୍ଲୁ ଜାରି କରିଥିଲେ। ଏହି ଏନ୍ବିଡବ୍ଲୁ ବିରୋଧରେ ସେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ ସୌରିନ୍ ଭଟ୍ଟଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତେବେ ସେ ହାଜର ନହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି।





