odisha24 Live

Latest News

Latest News

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଦେଶରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ‘ୱାନ୍ ନେସନ୍, ୱାନ୍ ହେଲଥ୍’ ବା ‘ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା’। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଭାରତରେ ଏହି ବ୍ୟବସ୍ଥା ଲାଗୁ କରାଯିବ ଏବଂ ଓଡ଼ିଶାରେ ମଧ୍ୟ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଫିସର ସର୍ଭିସ ଆସୋସିଏଶନର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଲେ, ସରକାରଙ୍କ ଏହି ନୂତନ ବ୍ୟବସ୍ଥା ଫଳରେ ରୋଗୀମାନେ ଆଉ ହଇରାଣ ହରକତ ହେବେନାହିଁ। ସବୁ ନିଦାନ ଓ ଚିକିତ୍ସା ସମ୍ବନ୍ଧିତ ରେକର୍ଡ ଗୋଟିଏ କ୍ଲିକ୍‌ରେ ମିଳିବ। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ହେଲ୍‌ଥ ଅଥରିଟି ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍‌) ମାଧ୍ୟମରେ ଆରୋଗ୍ୟ ସେତୁ ୨.୦ ଆପ୍‌ ଲଞ୍ଚ କରାଯାଇଛି। ଏଥିରେ ସ୍କାନ୍‌ ଆଣ୍ଡ୍‌ ଶେୟାର କନ୍‌ସେପ୍ଟ ରହିଛି। ପ୍ରେସ୍‌କ୍ରିପ୍‌ଶନକୁ ଶେୟାର କରି ଡିଜିଟାଲ ଲକର୍‌ ମାଧ୍ୟମରେ ରଖିହେବ। ଏଥିସହ ଖୁବ୍‌ଶୀଘ୍ର ଆଉ ଏକ ଆପ୍‌ ରାଜ୍ୟ ସରକାର ଆଣିବେ। ସ୍ବାସ୍ଥ୍ୟସେବାରେ ସୁବିଧା ଏବଂ ସୁରକ୍ଷା ପାଇଁ ଡାକ୍ତରମାନେ ଡିଜିଟାଲ ପ୍ରେସ୍‌କ୍ରିପ୍‌ଶନ ବ୍ୟବହାର କରିବେ। ସେହିପରି ସାମାନ୍ୟ ଜ୍ୱର ହେଉ କି ଥଣ୍ଡା, ଡାକ୍ତରଙ୍କ ପରାମର୍ଶ ନ ନେଇ ମେଡିଶିନ ଷ୍ଟୋର୍‌ରୁ ଆଣ୍ଟିବାୟୋଟିକ କିଣାଯାଉଛି। ସ୍ବାସ୍ଥ୍ୟ ବିଭାଗ ସଚେତନ କଲେ ମଧ୍ୟ ତାହା ବ୍ୟାପକ ହେଉନି। ତେଣୁ ଆପ୍‌ ଦ୍ୱାରା କେଉଁଠି, କେଉଁ ଡାକ୍ତର, କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ ଲେଖିଛନ୍ତି ତାହା ଜଣାପଡ଼ିବ। ଏହାଦ୍ୱାରା ଆଣ୍ଟିବାୟୋଟିକ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଫାର୍ମାସି ସେବାର ଗୁରୁତ୍ୱକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ୩୯ ବର୍ଷର ଦାବିକୁ ସମ୍ମାନ ଜଣାଇ ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଫାର୍ମାସିଷ୍ଟମାନଙ୍କ ପାଇଁ ଜବ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ହୋଇଛି। ଏହି ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ। ସେହିପରି ରାଜ୍ୟରେ ଫାର୍ମାସିଷ୍ଟ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ନିଯୁକ୍ତି ଓ ପଦୋନ୍ନତି ସେବା ୨୦୨୫ ଲାଗୁ ନିମନ୍ତେ ଆସୋସିଏଶନ କରିଥିବା ଦାବିକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ପ୍ରଦାନ, ଔଷଧର ସୁରକ୍ଷିତ ବ୍ୟବହାର, ଔଷଧ ସମ୍ପର୍କିତ ପରାମର୍ଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ତେଣୁ ଫାର୍ମାସି ସେବାକୁ ମଜଭୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସଭାପତି ସମୀର ମହାନ୍ତି, ଔପନ୍ୟାସିକ କାଳନ୍ଦୀ ସାମଲ, ସଂଘ ସଭାପତି ଶୁଭଲକ୍ଷ୍ମୀ ସ୍ବାଇଁ, ସାଧାରଣ ସମ୍ପାଦକ କ୍ଷିତିଶ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ମହେଶ ମୋହନ ପଣ୍ଡା, ସାମାଜିକକର୍ମୀ ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ସଂଘର ସ୍ମରଣିକା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଫାର୍ମାସି କ୍ୟାଡରର ପୁନର୍ଗଠନ, ଜବ୍‌ ଚାର୍ଟ ପ୍ରସ୍ତୁତି ଏବଂ ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀକୁ ଅନୁମୋଦନ ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।

Share In Social Media
Scroll to Top