
ରବିବାର ପାଳନ ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷର ପୁତ୍ରଦା ଏକାଦଶୀ । ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ସନ୍ତାନଙ୍କ ମଙ୍ଗଳ, ପରିବାରର ସୁଖ-ସମୃଦ୍ଧି ଓ ମନୋକାମନା ପୂରଣ ପାଇଁ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।ଧାର୍ମିକ ମାନ୍ୟତା ଅନୁଯାୟୀ, ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ବ୍ରତ ଅତ୍ୟନ୍ତ ଫଳଦାୟୀ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ପୂର୍ବଜନ୍ମର ପାପ ନଷ୍ଟ ହେବା ସହ ଘରେ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏକାଦଶୀ ବ୍ରତ ରଖିବା ଦ୍ୱାରା ମାନସିକ ଚାପ କମିବା ସହ ଶରୀରରେ ସକାରାତ୍ମକ ଶକ୍ତି ବଜାୟ ରହିଥାଏ ବୋଲି ମାନ୍ୟତା ରହିଛି ।ଏକାଦଶୀ ବ୍ରତରେ ସାଧାରଣତଃ ଚାଉଳ ଓ ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରାଯାଇ ନଥାଏ । ଭକ୍ତମାନେ ନିଜ ସାମର୍ଥ୍ୟ ଅନୁସାରେ ନିର୍ଜଳ, ଜଳାହାର କିମ୍ବା ଫଳାହାର ବ୍ରତ ପାଳନ କରିପାରନ୍ତି । ଫଳ, କ୍ଷୀର, ମଖାନା, ସାବୁଦାନା ଭଳି ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରାଯାଇପାରେ । ପୁତ୍ରଦା ଏକାଦଶୀରେ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ନିଜ ସାମର୍ଥ୍ୟ ଅନୁଯାୟୀ ଦରିଦ୍ର ଓ ଅସହାୟ ଲୋକଙ୍କୁ ଅନ୍ନ, ବସ୍ତ୍ର କିମ୍ବା ଆର୍ଥିକ ସହାୟତା କରିବା ଶୁଭ ବୋଲି ଧାର୍ମିକ ବିଶ୍ୱାସ ରହିଛି । ତେବେ ଦ୍ୱାଦଶୀ ତିଥିରେ ନିର୍ଦ୍ଧାରିତ ସମୟରେ ବ୍ରତର ପାରଣ କରିବାକୁ ଭୁଲନ୍ତୁ ନାହିଁ । ତେଣୁ ଆଜି ପୁତ୍ରଦା ଏକାଦଶୀରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ, ତୁଳସୀ ପତ୍ର ଅର୍ପଣ କରନ୍ତୁ ଏବଂ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ।





