
ଭୁବନେଶ୍ୱର : ଓଡ଼ିଶା ସରକାର ବିଦେଶରେ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉଭୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସ୍ନାତକୋତ୍ତର ଏବଂ ବିଦ୍ୟାବାରିଧି ପାଠ୍ୟକ୍ରମରେ ପଢ଼ିବା ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ମୋଟ ୫୦ ଜଣ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉଚ୍ଚଶିକ୍ଷା ବିଭାଗର ଲକ୍ଷ ରହିଛି। ଯେଉଁମାନଙ୍କର ବାର୍ଷିକ ପାରିବାରିକ ଆୟ ୧୨ ଲକ୍ଷ ଟଙ୍କାରୁ କମ୍, ସେହି ପରିବାରର ଛାତ୍ରଛାତ୍ରୀ ମାନଙ୍କୁ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ କରାଯିବ। ଆବେଦନ ସମୟରେ ଯୋଗ୍ୟ ପ୍ରାର୍ଥୀମାନେ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବେଦନ କରିପାରିବେ।ତେବେ ୨୦୨୫-୨୬ ଏବଂ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୮ ରୁ ଅଗଷ୍ଟ ୩୧, ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଓଡ଼ିଶା ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ଯୋଜନା ସମ୍ବନ୍ଧରେ ସମ୍ପୂର୍ଣ ବିବରଣୀ ଉଚ୍ଚଶିକ୍ଷା ବିଭାଗର ଅଫିସିଆଲ୍ ୱେବସାଇଟ୍ରେ ଉପଲବ୍ଧ ଅଛି।





