
ନାଇରୋବି : କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକଙ୍କ ସହ ଇକ୍ୱେଡରର ଜଣେ ବରିଷ୍ଠ ଅଧିକାରୀ ଏବଂ ଜଣେ ଆମେରିକୀୟ ସାମ୍ବାଦିକ ଥିବା ସୂଚନା ମିଳିଛି। ଲୋଇସାବା ଅଭୟାରଣ୍ୟରୁ ହେଲିକପ୍ଟରରେ ଆକାଶ ସଫାରି କରିବାକୁ ବାହାରିଥିବା ବେଳେ ଏହି ଯାତ୍ରା ମୃତ୍ୟୁର ଯାତ୍ରାରେ ପରିଣତ ହୋଇଛି। ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ହେଲିକପ୍ଟର ସଫାରିର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ଏହାର କାରଣ ହୋଇଥାଇପାରେ କି ନାହିଁ, ତାହା ନେଇ ତଦନ୍ତ ଆରମ୍ଭ ହୋଇଛି। କେନିଆ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଆମେରିକା ଓ ଇକ୍ୱେଡର ଦୂତାବାସକୁ ଅବଗତ କରାଇଛନ୍ତି। ମୃତକଙ୍କ ପରିବାର ପ୍ରତି ସରକାର ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।





