
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରୀୟ କ୍ୟାବିନେଟ୍ରେ ଅଗଷ୍ଟ ୨୦ ତାରିଖ ପରେ ଏକ ବଡ଼ ଧରଣର ଅଦଳବଦଳ ହେବା ନେଇ ଦେଶର ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ନୂତନ ରାଷ୍ଟ୍ରୀୟ ସଙ୍ଗଠନ ଟିମ୍ ଘୋଷଣା ହେବା ପରେ ଏହି ସମ୍ଭାବନା ଆହୁରି ଦୃଢ଼ ହୋଇଛି। ଏଥିରେ ୬ରୁ ୮ ଜଣ ନୂଆ ମୁହଁଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ବର୍ତ୍ତମାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୋଟିଏ ମନ୍ତ୍ରୀଙ୍କ ହାତରେ ଥିବାରୁ ରିଶଫଲ୍ ହେଲେ ବିଭାଗ ପୁନଃବଣ୍ଟନ ହୋଇପାରେ ବୋଲି ଆକଳନ କରାଯାଉଛି। ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ୩ଟି ମନ୍ତ୍ରଣାଳୟ ଥିବା ବେଳେ ପ୍ରହ୍ଲାଦ ଯୋଶୀଙ୍କ ପାଖରେ ମଧ୍ୟ ୩ଟି ବିଭାଗ ରହିଛି। ସେହିପରି ମନୋହର ଲାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନସୁଖ ମାଣ୍ଡଭିୟ ଓ ଅମିତ ଶାହଙ୍କ ପାଖରେ ଦୁଇଟି ଲେଖାଏଁ ବିଭାଗ ରହିଛି। ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲେ ଏହି ବିଭାଗଗୁଡ଼ିକ ମଧ୍ୟରୁ କିଛି ବିଭାଗର ପୁନଃବଣ୍ଟନ ହେବାର ସମ୍ଭାବନା ରହିଛି।





