
ମୁମ୍ବାଇ : ବଦଳିବାକୁ ଯାଉଛି ଇନଷ୍ଟାଗ୍ରାମ୍ ଲୋଗୋ । ନୂଆ ଡିଜାଇନକୁ ଅଧିକ କ୍ଲିୟର୍ ଏବଂ ମଡର୍ନ୍ କରିବାକୁ କମ୍ପାନୀ ଚେଷ୍ଟା କରିଛି । କିନ୍ତୁ ନୂଆ ଡିଜାଇନ୍ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ ହୋଇଛି । କିଛି ୟୁଜର୍ ନୂଆ ଡିଜାଇନକୁ ପସନ୍ଦ କରିଛନ୍ତି । ଆଉ କିଛି ଲୋକଙ୍କୁ ଏଥିରେ ପୁରୁଣା ଇନଷ୍ଟାଗ୍ରାମର ଲୁକ୍ ଦେଖାଯାଉନାହିଁ । ଏପରିକି କିଛି ଲୋକ ମଜାରେ ଏହାକୁ ‘ଇନଷ୍ଟାଗ୍ଜାମ୍’ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ଏଠାରେ ଏକ କଥା ସ୍ପଷ୍ଟ କରିବା ଜରୁରୀ । ଇନଷ୍ଟାଗ୍ରାମ୍ ଏଥର ନିଜର ପୂରା ଆପ୍ ଆଇକନ୍ ବଦଳାଇନାହିଁ । ବରଂ ଇନଷ୍ଟାଗ୍ରାମ୍ ନାମ ଲେଖାଯାଉଥିବା ୱାର୍ଡମାର୍କରେ ପରିବର୍ତ୍ତନ ହୋଇଛି । ପ୍ରାୟ ଏକ ଦଶନ୍ଧି ଧରି ଇନଷ୍ଟାଗ୍ରାମ୍ ନାମଟି ଏକ ବିଶେଷ କର୍ସିଭ୍ ବା ହାତରେ ଲେଖା ଭଳି ଷ୍ଟାଇଲରେ ଦେଖାଯାଉଥିଲା । ଏବେ କମ୍ପାନୀ ଏହି ଷ୍ଟାଇଲରେ ପରିବର୍ତ୍ତନ ଆଣିଛି । ନୂଆ ୱାର୍ଡମାର୍କରେ ପୁରୁଣା କର୍ସିଭ୍ ଷ୍ଟାଇଲ୍ ଏବଂ ସାଧାରଣ ପ୍ରିଣ୍ଟ ଅକ୍ଷରର ମିଶ୍ରଣ ଦେଖିବାକୁ ମିଳୁଛି । କମ୍ପାନୀ କହିଛି, ଏହାକୁ ଅଧିକ ଷ୍ଟାଇଲ୍ ଓ ମଡର୍ନ୍ କରାଯାଇଛି । କିନ୍ତୁ ପୁରୁଣା ଡିଜାଇନର ଝଲକ ମଧ୍ୟ ରଖାଯାଇଛି ।ଇନଷ୍ଟାଗ୍ରାମର ମୁଖ୍ୟ ଆଡମ୍ ମୋସେରି କହିଛନ୍ତି, ଆପର ଉପରେ ଦେଖାଯାଉଥିବା ୱାର୍ଡମାର୍କ ପ୍ରାୟ ୧୦ ବର୍ଷ ଧରି ବଦଳାଯାଇନଥିଲା । ତେଣୁ ଏବେ ଏହାକୁ ରିଫ୍ରେଶ୍ କରିବାର ସମୟ ଆସିଗଲା । କିନ୍ତୁ ନୂଆ ଡିଜାଇନ୍ ଆସିବା ପରେ ଇଣ୍ଟରନେଟରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଯାଉଛି । କିଛି ଲୋକ ଏହାକୁ କ୍ଲିୟର୍ ଓ ମଡର୍ନ୍ ବୋଲି କହୁଛନ୍ତି ତ ଆଉ କିଛି ଲୋକ ପୁରୁଣା ଡିଜାଇନକୁ ଅଧିକ ଭଲ ବୋଲି କହିଛନ୍ତି । ରେଡିଟରେ ମଧ୍ୟ ନୂଆ ୱାର୍ଡମାର୍କକୁ ନେଇ ଚର୍ଚ୍ଚା ଚାଲିଛି ।





