
ନୂଆଦିଲ୍ଲୀ : ସେପ୍ଟେମ୍ବର ୧୯ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ଏସୀୟ କ୍ରୀଡ଼ା ଖେଳାଯିବ। ଏହି କ୍ରୀଡ଼ାରେ କ୍ରିକେଟ୍ ସାମିଲ ହୋଇଛି। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା କେବଳ ପଦକ ପାଇଁ ହେବ। ଅର୍ଥାତ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମୁକାବିଲା ହେବନାହିଁ। ଏସୀୟ କ୍ରୀଡ଼ାରେ କ୍ରିକେଟ ଖେଳ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଶେଷହେବ। ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ଖେଳସୂଚୀ ଏପରି ରହିଛି ଯେ ପଦକ ଲାଗି ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତ-ପାକିସ୍ତାନ ମୁକାବିଲା ହେବନାହିଁ।ପ୍ରଥମେ ମହିଳା ବିଭାଗରେ କ୍ରିକେଟ୍ ସେପ୍ଟେମ୍ବର ୧୭ରୁ ଏବଂ ପରେ ପୁରୁଷ ବର୍ଗର ପ୍ରତିଯୋଗିତା ଖେଳାଯିବ। ପୁରୁଷ ବିଭାଗରେ ୧୦ଟି ଦଳ ଭାଗ ନେଉଛନ୍ତି। ଫର୍ମାଟ ଏପରି ହୋଇଛି ଯେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବେ। ସେପ୍ଟେମ୍ବର ୨୮ରେ ପ୍ରଥମ କ୍ବାର୍ଟରଫାଇନାଲରେ ପାକିସ୍ତାନ ଓ ୨ୟ କ୍ବାର୍ଟରଫାଇନାଲରେ ଭାରତ ଖେଳିବ। ଅକ୍ଟୋବର ୧ରେ ହେବାକୁ ଥିବା ସେମିଫାଇନାଲରେ କ୍ବାର୍ଟର-୨ର ବିଜେତା କ୍ବାର୍ଟର-୩ର ବିଜେତା ସହ ଏବଂ କ୍ବାର୍ଟର-୧ର ବିଜେତା ଓ କ୍ବାର୍ଟର-୪ର ବିଜେତା ମଧ୍ୟରେ ମୁକାବିଲା ହେବ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଫାଇନାଲ ବା ସ୍ବର୍ଣ୍ଣ ପଦକ କିମ୍ବା ତୃତୀୟ ସ୍ଥାନ (କାଂସ୍ୟ ପଦକ) ଲାଗି ହେବାକୁ ଥିବା ମୁକାବିଲା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବନାହିଁ। ଅକ୍ଟୋବର ୩ରେ ଉଭୟ ୩ୟ ସ୍ଥାନ ଏବଂ ଫାଇନାଲ (ପଦକ) ମ୍ୟାଚ୍ ଖେଳାଯିବ। ମହିଳା ବର୍ଗରେରେ ୮ଟି ଦଳ ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବେ। କ୍ବାର୍ଟରରେ ଜାପାନ ବିପକ୍ଷରେ ଭାରତ ଖେଳିବ। ଖେଳସୂଚୀ ଅନୁଯାୟୀ ଭାରତ ୨୦ରେ ସେମିଫାଇନାଲରେ ବାଂଲାଦେଶ କିମ୍ବା ହଂକଂ ସହ ମୁକାବିଲା କରିବ।





