
ଲଣ୍ଡନ : ଲଣ୍ଡନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ ଯାଉଥିବା ସମୟରେ ଲୁଇସ୍ ଷ୍ଟେସନ ନିକଟରେ ପ୍ରାୟ ୩ଟା ୪୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ପଛ ତିନୋଟି ବଗି ହଠାତ ରେଳଧାରଣାରୁ ଓଲଟି ପଡ଼ିଥିଲା। ସେତେବେଳେ ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ବଗି ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ, ପୋଲିସ ଓ ଆମ୍ବୁଲାନ୍ସ ସେବାର ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଏକ ପ୍ରମୁଖ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ବୋଲି ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ମର୍ମନ୍ତୁଦ ଘଟଣାକୁ କର୍ତ୍ତୃପକ୍ଷ ‘ମେଜର ଇନ୍ସିଡେଣ୍ଟ’ ଭାବେ ଘୋଷଣା କରିଛନ୍ତି। ଆମ୍ବୁଲାନ୍ସ ସେବା ଅନୁଯାୟୀ, ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିବାବେଳେ ଅପରାହ୍ନ ପ୍ରାୟ ୪ଟା ପୂର୍ବରୁ ଟ୍ରେନଟି ରେଳ ଧାରଣାରୁ ଖସି ଯାଇଥିଲା। ଘଟଣାସ୍ଥଳର ଭିଡିଓ ଫୁଟେଜରେ ଅତିକମରେ ତିନୋଟି ବଗି ଓଲଟି ପଡ଼ିଥିବା ଏବଂ ଘଟଣାସ୍ଥଳରେ ପାରାମେଡିକମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଟ୍ରେନ୍ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ କିନ୍ତୁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଡେପୁଟି ଚିଫ୍ ପାରାମେଡିକ୍ ଅଫିସର ମାଇକେଲ୍ ବ୍ରାଡଫିଲ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହସ୍ପିଟାଲକୁ ନିଆଯାଇଥିବା ୨୦ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆହତ ରହିଛି। ଦୁର୍ଘଟଣା ଯୋଗୁଁ ଦକ୍ଷିଣ-ପୂର୍ବ ଇଂଲଣ୍ଡର ଅନେକ ରେଳପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।





