
ଭୁବନେଶ୍ୱର : ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗିରହିଛି। ଆଗାମୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ବୁଧବାର ସଂନ୍ଧ୍ୟାରୁ ଗୁରୁବାର ସଂନ୍ଧ୍ୟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ବର୍ଷା ୧୧୭.୮ ମିମି ରେକର୍ଡ଼ ହୋଇଛି। ଏହାବାଦ୍ ୨୦ ରୁ ଉର୍ଦ୍ଧ୍ବ ସହରରେ ୫ ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ରେକର୍ଡ଼ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଅବପାତଟି ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟାକା ଓ ଝାରଖଣ୍ତ ଉପର ଦେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ୨୦ ଅଗଷ୍ଟ ସୁଦ୍ଧା ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ୨୦ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ।





