
ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ମଙ୍ଗଳବାର ଦିନ ତାଙ୍କ ପ୍ରେମିକା ଜର୍ଜିନା ରୋଡ୍ରିଗ୍ୱେଜ୍ଙ୍କୁ ବିବାହ କରିଛନ୍ତି। ପ୍ରାୟ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ଏବେ ନୂଆ ମୋଡ଼ ନେଇଛି। ଅଗଷ୍ଟ ୧୧ ତାରିଖରେ ପର୍ତ୍ତୁଗାଲର କାସ୍କେସ୍ରେ ଏକ ଘରୋଇ ସିଭିଲ୍ ସେରେମୋନିରେ ଦୁହେଁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।ରୋନାଲ୍ଡୋ ଓ ଜର୍ଜିନା ୨୦୧୬ ମସିହାରୁ ଏକାଠି ଅଛନ୍ତି। ଗତବର୍ଷ ଅଗଷ୍ଟ ୧୧ରେ ଜର୍ଜିନା ସୋସିଆଲ ମିଡିଆରେ ନିର୍ବନ୍ଧ ଘୋଷଣା କରିଥିଲେ। ଠିକ୍ ଏକ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି। ବିବାହ ସମାରୋହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖାଯାଇଥିବା ବେଳେ କେବଳ ପରିବାର ଓ ଘନିଷ୍ଠ ବନ୍ଧୁମାନେ ଏଥିରେ ସାମିଲ ହୋଇଥିଲେ। ଦମ୍ପତିଙ୍କ ୫ ସନ୍ତାନ—କ୍ରିଷ୍ଟିଆନୋ ରୋନାଲ୍ଡୋ ଜୁନିୟର, ଯାଆଁଳା ଇଭା ଓ ମାଟେଓ, ଆଲାନା ମାର୍ଟିନା ଏବଂ ବେଲା ଏସମେରାଲ୍ଡା—ମଧ୍ୟ ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।ରୋନାଲ୍ଡୋ ଓ ଜର୍ଜିନାଙ୍କ ବିବାହକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। ଏପରିକି କିଛି ଦିନ ପୂର୍ବରୁ ଦୁହେଁ ବିବାହ କରୁଥିବା ଗୁଜବ ହେବା ପରେ ପର୍ତ୍ତୁଗାଲର ଫଞ୍ଚାଲ୍ କ୍ୟାଥେଡ୍ରାଲ୍ ବାହାରେ ଶହ ଶହ ଲୋକ ଏକାଠି ହୋଇଥିଲେ। ତେବେ ସେଠାରେ ବିବାହ ଅନ୍ୟ ଏକ ଦମ୍ପତିଙ୍କର ଥିବା ଜଣାପଡ଼ିଥିଲା। ଏବେ ନିଜେ ବିବାହ ଫଟୋ ସେୟାର କରି ରୋନାଲ୍ଡୋ ଓ ଜର୍ଜିନା ସମସ୍ତ ଗୁଜବର ଅବସାନ ଘଟାଇଛନ୍ତି।

