odisha24 Live

Latest News

Latest News

ଟ୍ରେନଯାତ୍ରୀ ସାବଧାନ! ଅକ୍ଟୋବର ୧ରୁ କଡ଼ା ଚେକିଂ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ଅକ୍ଟୋବର ୧, ୨୦୨୬ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ସ୍ୱତନ୍ତ୍ର ଓ କଡ଼ା ଟିକେଟ ଚେକିଂ ଅଭିଯାନ ଆରମ୍ଭ ହେବାକୁ ଯାଉଛି‌। ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିନା ଟିକେଟରେ ଯାତ୍ରା କରୁଥିବା ଏବଂ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ରୋକିବା ପାଇଁ ଏହି କଡ଼ା ପଦକ୍ଷେପ ନିଆଯାଉଛି‌।
ବିଶେଷକରି ରିହାତି ଭଡ଼ା, ସଂରକ୍ଷଣ କୋଟା, ଇ-ପାସ୍ କିମ୍ବା ପିଟିଓ (ପର୍ସେନାଲ୍ ଟ୍ରାଭେଲ୍ ଅର୍ଡର)ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ।

ମୂଳ ପରିଚୟ ପତ୍ର ବାଧ୍ୟତାମୂଳକ: ଏହି ଅଭିଯାନ ସମୟରେ ଯାତ୍ରୀମାନଙ୍କୁ ଟିକେଟ୍ ସହିତ ସେମାନଙ୍କର ମୂଳ ପରିଚୟ ପତ୍ର (ଅରିଜିନାଲ ଆଇଡି ପ୍ରୂଫ) ବହନ କରିବାକୁ ପଡ଼ିବ। ପରିଚୟ ପତ୍ର ଦେଖାଇବାରେ ବିଫଳ ହେଲେ ଟିକେଟ୍ ବୈଧତା ଉପରେ ପ୍ରଶ୍ନ ଉଠିପାରେ। ଯଦି ଗୋଟିଏ ଟିକେଟରେ ଏକାଧିକ ବ୍ୟକ୍ତି ଯାତ୍ରା କରୁଛନ୍ତି, ତେବେ ଯାଞ୍ଚ ସମୟରେ ଅତି କମରେ ଜଣେ ଯାତ୍ରୀଙ୍କ ପାଖରେ ବୈଧ ପରିଚୟ ପତ୍ର ରହିବା ଜରୁରୀ। ଅନ୍ୟଥା ସମସ୍ତଙ୍କୁ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଭାବେ ବିବେଚନା କରାଯାଇ ଜରିମାନା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଯାତ୍ରା ସମୟରେ ଯାଞ୍ଚ କରାଯିବ ଯେ, ଯାତ୍ରୀ ପ୍ରକୃତରେ ସେହି ରିହାତି ବା କୋଟାର ଲାଭ ପାଇବାକୁ ଯୋଗ୍ୟ କି ନାହିଁ। କେବଳ ଟିକେଟ୍ ଦେଖାଇବା ଯଥେଷ୍ଟ ହେବ ନାହିଁ। ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଯେଉଁମାନେ ଇ-ପାସ୍ ବା ରିହାତି ଭଡ଼ାରେ ଯାତ୍ରା କରନ୍ତି, ସେମାନେ ଯାତ୍ରା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ସେମାନଙ୍କର ଇ-ପାସ୍ ବା PTO ସଠିକ୍ ଭାବରେ ଔଥୋରିଟି ଫୋର ଟ୍ରାଭେଲରେ ପରିଣତ ହୋଇଛି କି ନାହିଁ ଏବଂ ମୂଳ ପରିଚୟ ପତ୍ର ପାଖରେ ଅଛି କି ନାହିଁ। ଏହି ଅଭିଯାନ କେବଳ ସଂରକ୍ଷିତ ଟିକେଟ୍ ପାଇଁ ନୁହେଁ, ବରଂ ଅଣସଂରକ୍ଷିତ (ଜେନେରାଲ) ଟିକେଟ୍ ମଧ୍ୟ ଯାଞ୍ଚ କରାଯିବ।

Share In Social Media
Scroll to Top