
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏକ ନୂଆ ଧରଣର ବାଇକ୍ ଲଞ୍ଚ କରିବାକୁ ଯାଉଛି ବଜାଜ୍ ଅଟୋ । ଏପର୍ଯ୍ୟନ୍ତ କମ୍ପାନୀ କମ୍ୟୁଟର୍ ଏବଂ ପରଫର୍ମାନ୍ସ ଫୋକସ୍ଡ୍ ବାଇକ୍ ଲଞ୍ଚ କରିଆସିଛି । ତେବେ ଏହା ବଜାଜର ପ୍ରଥମ ଆଡଭେଞ୍ଚର୍ ବାଇକ୍ ହେବ। ଭାରତରେ ଏହି ମୋଟରସାଇକେଲକୁ ଅନେକ ଥର ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଛି। ତେଣୁ ଅନୁମାନ କରାଯାଉଛି ଯେ, କମ୍ପାନୀ ୨୦୨୬ରେ ହିଁ ଏହି ବାଇକକୁ ଲଞ୍ଚ କରିପାରେ । ଭାରତରେ ଏହାକୁ ଫେଷ୍ଟିଭ୍ ସିଜନ୍ରେ ଲଞ୍ଚ କରାଯିବାର ସମ୍ଭାବନା ରହିଛି । ତେବେ ଏହି ବାଇକ୍ ବିଷୟରେ ବଜାଜ୍ ଏପର୍ଯ୍ୟନ୍ତ ଅଧିକାରିକ ଭାବେ କୌଣସି ସୂଚନା ଦେଇନାହିଁ । ବ୍ରାଜିଲରେ ଏହି ବାଇକର ଡେଭଲପମେଣ୍ଟ ଆରମ୍ଭ ହୋଇସାରିଛି । ବଜାଜ୍ ବ୍ରାଜିଲ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ୱାଲ୍ଡିର୍ ଫେରେଇରା ଏହି ବାଇକ୍କୁ ନେଇ ମତ ଦେଇଛନ୍ତି ।
ତାଙ୍କ ଅନୁସାରେ, ଏହି ବାଇକକୁ କ୍ରିସମାସ୍ ଗିଫ୍ଟ ଭାବରେ ଲଞ୍ଚ କରାଯାଇପାରେ । ଏହି ବାଇକ୍ର ନାମ ବଜାଜ୍ ଟ୍ରେକର ହୋଇପାରେ । କମ୍ପାନୀ ଏହି ନାମକୁ ଟ୍ରେଡ୍ମାର୍କ କରିସାରିଛି । ତେବେ ବଜାଜ୍ ଏପର୍ଯ୍ୟନ୍ତ ଅଧିକାରିକ ଭାବେ ବାଇକ୍ର ନାମ ନିଶ୍ଚିତ କରିନାହିଁ । ଡିଜାଇନ୍ କଥା କହିଲେ, ବାଇକଟି ଏବେ ବଜାରରେ ଆସୁଥିବା ଅନ୍ୟ ଆଡଭେଞ୍ଚର୍ ବାଇକ୍ ଭଳି ଦେଖାଯିବ । ଏଥିରେ ଲମ୍ବା ଫ୍ରଣ୍ଟ ଏଣ୍ଡ୍, ବିକ୍-ଷ୍ଟାଇଲ୍ ମଡଗାର୍ଡ, ଫୋର୍କ ଗେଟର୍ସ, ଲମ୍ବା ସିଙ୍ଗଲ୍-ପିସ୍ ସିଟ୍ ଏବଂ ଉପରକୁ ଉଠିଥିବା ଏଗ୍ଜଷ୍ଟ୍ ମିଳିପାରେ । ଟେଷ୍ଟିଂ ସମୟରେ ଏହି ବାଇକ୍ରେ ସ୍ପୋକ୍ ହ୍ୱିଲ୍ସ ମଧ୍ୟ ଦେଖିବାକୁ ମିଳିଛି । ଅନୁମାନ କରାଯାଉଛି ଯେ, ବାଇକ୍ରେ ୧୯ ଇଞ୍ଚର ଫ୍ରଣ୍ଟ ଏବଂ ୧୭ ଇଞ୍ଚର ରିୟର୍ ହ୍ୱିଲ୍ ରହିପାରେ । ଏହି ସେଟଅପ୍ ବାଇକ୍କୁ ରାସ୍ତାରେ ଭଲ ଷ୍ଟେବିଲିଟି ଦେବା ସହ ହାଲୁକା ଅଫ୍-ରୋଡ୍ ରାଇଡିଂରେ ମଧ୍ୟ ସାହାଯ୍ୟ କରିବ।





